Unknown

 

 

 

 

 

 

 

 

 

 

 

ଜୀବଜନ୍ତୁଙ୍କ କଥା

ଶ୍ରୀ ବାସୁଦେବ ତ୍ରିପାଠୀ

 

ସୂଚୀପତ୍ର

 

୧.

କୀଟ କାରିଗର

୨.

ଉପକାରୀ ମହୁମାଛି

୩.

ରାକ୍ଷସ ପକ୍ଷୀ

୪.

ଦୁଇଟି ବଡ଼ ଜୀବ

୫.

ପଶୁଜଗତର ରାଜା

୬.

ବିରାଟ ଗରିଲା

୭.

ପ୍ରଜାପତି

୮.

ଖଳ ସର୍ପ

୯.

କୁତ୍ସିତ ଜୀବ

୧୦.

କଙ୍ଗାରୁ ଓ ଜିରାଫ

୧୧.

ଗଣ୍ଡାର

୧୨.

ପ୍ରଶ୍ନାବଳୀ

Image

 

କୀଟ କାରିଗର

 

କୀଟମାନଙ୍କ ମଧ୍ୟରେ ବୁଢ଼ିଆଣୀ ବଡ଼ ଚତୁର । ସେ ଚାଳ, ବାଡ଼, ଘରକୋଣ ଓ ଗଛଡାଳମାନଙ୍କରେ ଘର ତୋଳି ବାସ କରେ । ତାହାର ଘରଟି ଖଣ୍ଡିଏ ଜାଲପରି । ସେହି ଜାଲ ଖୁବ୍‌ ସରୁ ସୂତାରେ ତିଆରି ହୋଇଥାଏ । ତହିଁରେ ସେ ମଉଜରେ ଖେଳେ ଓ ବୁଲେ । ସେହି ଜାଲ ଉପରେ କାକର ଟୋପାଏ ଲାଖି ରହିଲେ ସୂର୍ଯ୍ୟଙ୍କ କିରଣରେ ତାହା ମୁକ୍ତାପରି ଖୁବ୍‌ ଚକ୍‌ଚକ୍‌ ଦିଶେ । ମନେହୁଏ, ସତେ ଅବା ବୁଢ଼ିଆଣୀ ଗୁଡ଼ିଏ ମୁକ୍ତା ସଂଗ୍ରହ କରି ତାହାର ସେହି ଜାଲରେ ସଞ୍ଚିରଖିଛି । ବେଳେବେଳେ ଝଡ଼ପବନ ବୋହି ସେହି ଜାଲକୁ ଛିଣ୍ଡାଇ ଦିଏ; କିନ୍ତୁ ସେଥିପ୍ରତି ବୁଢ଼ିଆଣୀର ଟିକିଏ ହେଲେ ଖାତର ନଥାଏ । ସାଙ୍ଗେ ସାଙ୍ଗେ ସେହି ଛିଣ୍ଡା ଜାଲକୁ ସେ ପୁଣିଥରେ ବୁଣିଦିଏ ।

 

ବୁଢ଼ିଆଣୀ ଛୋଟ ଜୀବଟିଏ ସତ; କିନ୍ତୁ ତାହାର ବୁଦ୍ଧି ଓ କୌଶଳ ଯଥେଷ୍ଟ ବେଶୀ । ଭଗବାନ ତାକୁ କିପରି ଦକ୍ଷ କାରିଗର କରି ଗଢ଼ିଛନ୍ତି, ତାହା ତା’ର ଜାଲ ତିଆରିରୁ ସହଜରେ ଜାଣି ହୁଏ ।

 

ଏହି ପୃଥିବୀରେ ଅନେକ ପ୍ରକାର ବୁଢ଼ିଆଣୀ ଦେଖାଯାଆନ୍ତି । କେତେକ ବୁଢ଼ିଆଣୀର ଆଠଗୋଟି ଗୋଡ଼ ଓ ଆଉ କେତେକଙ୍କର ଛଅଗୋଟି ଗୋଡ଼ ଥାଏ । ସହି ଗୋଡ଼ଗୁଡ଼ିକ ଖୁବ୍‌ ନରମ ଓ ଲୋମଯୁକ୍ତ । କେତେକାଳ ହେଲା ଏ ପ୍ରକାର ଜୀବ ପୃଥିବୀରେ ସୃଷ୍ଟି ହେଲେଣି ସେହିକଥା ପଣ୍ଡିତମାନେ ସ୍ଥିର କରି ପାରି ନାହାନ୍ତି ।

 

ଅଣ୍ଡିରା ଓ ମାଈ ବୁଢ଼ିଆଣୀଙ୍କ ମଧ୍ୟରେ ଆକାର ପ୍ରକାରରେ ବିଶେଷ କିଛି ପାର୍ଥକ୍ୟ ଥିଲା ପରି ସହଜରେ ଜାଣି ହୁଏ ନାହିଁ ।

ମାଈ ବୁଢ଼ିଆଣୀ ଆଠ କିବା ଦଶଟି ଡିମ୍ୱ ନଦେଇ ପ୍ରାୟ ପାଞ୍ଚଶହ ଡିମ୍ୱ ପ୍ରସବ କରେ । ସବୁ ଡିମ୍ୱରୁ ଛୁଆ ହୋଇପାରନ୍ତି ନାହିଁ । କାରଣ କେତୋଟି ଡିମ୍ୱ ଚଞ୍ଚଳ ନଷ୍ଟହୋଇ ଯାଏ ବାକି ଡିମ୍ୱମାନଙ୍କରୁ ଛୁଆ ଜନ୍ମନ୍ତି । ସେହି ଛୁଆ ବୁଢ଼ିଆଣୀ ସାତ କି ଆଠମାସ ପର୍ଯ୍ୟନ୍ତ କୌଣସି ଖାଦ୍ୟ ନ ଖାଇ ବଞ୍ଚି ରହେ । ବହୁଦିନ ଧରି ଖାଦ୍ୟ ନ ଖାଇ କେଉଁ ଜୀବ ବଞ୍ଚି ରହିବା କଥା ତୁମେ କେବେ ଶୁଣିଥିଲ କି ? ଜୀବମାନଙ୍କ ବିଷୟରେ ଗବେଷଣା କରୁଥିବା ପଣ୍ଡିତମାନେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ସନ୍ତୋଷଜନକ ଉତ୍ତର ସ୍ଥିର କରି ପାରିନାହାନ୍ତି ।

ସେହି ବୁଢ଼ିଆଣୀ ଛୁଆ ଖାଦ୍ୟ ନଖାଉଥିବା ଅବସ୍ଥାରେ ବି ଧୀରେ ଧୀରେ ବଢ଼ୁଥାଏ । ଟିକିଏ ବଡ଼ ହୋଇଗଲେ ସେ ଚାରିଆଡ଼େ ବୁଲି ଖାଦ୍ୟ ଖୋଜେ । ଯେପରି ଶିକାରୀ ଫାସ ବସାଇ ଜୀବଜନ୍ତୁଙ୍କୁ ତହିଁରେ ଧରେ, ଠିକ୍‌ ସେହପରି ଜାଲଦ୍ୱାରା ବୁଢ଼ିଆଣୀ ତାର ଖାଦ୍ୟ ସଂଗ୍ରହ କରେ । ସେ ତାହା ଦେହରେ ଥିବା ଗ୍ରନ୍ଥିରୁ ଏକପ୍ରକାର ସରୁ ଅଠାଳିଆ ସୂତା କାଢ଼ି, ଜାଲର ଚାରିକୋଣକୁ ମଜଭୁତ୍‌ କରେ । ତାହା ପରେ ଲମ୍ୱ ଲମ୍ୱ କେତେ ଖିଅ ସୂତାକୁ ଶଗଡ଼ଚକର ଅରପରି କରି ଚାରି ପାଖରେଥିବା ସୂତ-ସହିତ ଯୋଡ଼େ । ସେହି ଲମ୍ୱା ସୁତାଗୁଡ଼ିକୁ ମଜ୍‌ଭୁତ୍‌ କରିବାଲାଗି ସେ ଗୋଲାକାରରେ ଚାରିଆଡ଼କୁ ବୁଲି ଜାଲଟି ବୁଣି ଦିଏ ।

ଜାଲର କୌଣସି ସୂତା ଛିଣ୍ଡିଗଲେ, ସେଠାକୁ ଧାଇଁଯାଇ ବୁଢ଼ିଆଣୀ ନୂଆ ଖିଅଟିଏ ଯୋଡ଼ିଦିଏ । ଖଣ୍ଡିଏ ଜାଲ ବୁଣିବା ବା ସଜାଡ଼ିବା ଲାଗି ବୁଢ଼ିଆଣୀକୁ ବହୁ ସମୟ ଲାଗେ ନାହିଁ । ଘଣ୍ଟାକ ମଧ୍ୟରେ ସେ ତାହାର ଜାଲ ଖଣ୍ଡିକ ବୁଣିଦେଇ ତାହାରି ଭିତରେ ଖାଦ୍ୟ ପଦାର୍ଥକୁ ପାଇବା ଆଶାରେ ସୁଯୋଗକୁ ଅପେକ୍ଷା କରି ରହେ ।

ମାଛିଟିଏ ଉଡ଼ି ଯାଉ ଯାଉ ଦୈବାତ୍‌ ସେହି ଜାଲରେ ଛନ୍ଦି ହୋଇଗଲେ, ତହିଁରୁ ସହଜରେ ସେ ମୁକୁଳିପାରେ ନାହିଁ । କାରଣ ଜାଲର ସୂତା ଅଠାଳିଆଥିବାରୁ ମାଛି ତହିଁରେ ଗୁଡ଼େଇ ହୋଇ ଛାଟିପିଟି ହୁଏ । ଯେଉଁଆଡ଼େ ଡେଣା ମେଲାଏ, କିମ୍ୱା ପାଦ ବଢ଼ାଏ ସେହିଆଡ଼େ ସେ ଛନ୍ଦି ହୁଏ । ଅନେକ ସମୟ ପର୍ଯ୍ୟନ୍ତ ସେ ତାହାର ବଳ ବିକ୍ରମ ଦେଖାଏ । ଜାଲରୁ ସହଜରେ ଖସିବା ତ ଦୂରର କଥା, ବରଂ ସବୁଶକ୍ତି ହରାଇ ମଲାପରି ତହିଁରେ ଲାଖି ରହେ ।

ବୁଢ଼ିଆଣୀ ଦୂରରେ ଛକି ରହି ସବୁ ଦୃଶ୍ୟ ଖୁବ୍‌ ଆନନ୍ଦରେ ଉପଭୋଗ କରେ । ତାହାପରେ ସେ ମାଛି ପାଖକୁ ଧାଇଁଆସି ତାକୁ ଆକ୍ରମଣ କରେ । ମାଛିକୁ ଯୁଦ୍ଧରେ ହଟାଇ ମାରିଦେବା ବୁଢ଼ିଆଣୀ ପକ୍ଷରେ ସହଜ ହୁଏ ନାହିଁ । ତେଣୁ ସେ ପ୍ରଥମେ ତାହାର ଦୁଇଟି ଗୋଡ଼କୁ ଧୀରେ ଧୀରେ ମାଛି ପାଖକୁ ବଢ଼ାଏ । ତାହାର ଗୋଡ଼ମାନଙ୍କରେ ବିଷ ପଦାର୍ଥ ଥାଏ । ବିଛା ନାହୁଡ଼ ମାରି ଅନ୍ୟକୁ ବିଷାକ୍ତ କଲାପରି ବୁଢ଼ିଆଣୀ ତାହାର ଦୁଇଟି ବିଷାକ୍ତ ଗୋଡ଼ରେ ମାଛିର ମୁଣ୍ଡକୁ ଥରକୁ ଥର ଭୁଷି ଦିଏ । ମାଛି ସେହି ବିଷରେ ଆକ୍ରାନ୍ତ ହୋଇ ପ୍ରାଣ ହରାଏ ।

ତାହାପରେ ବୁଢ଼ିଆଣୀ ମଲା ମାଛିକୁ ଖାଇବାକୁ ଆରମ୍ଭ କରେ । ସେ ମାଛିକୁ ଗୋଟାସୁଦ୍ଧା ଗିଳିପାରେ ନାହିଁ । କେବଳ ତା’ ଦେହରୁ ରକ୍ତ ପୂରାପୂରି ଶୋଷି ନେଇ ଶୁଖିଲା ଶବଟାକୁ ତଳକୁ ଫିଙ୍ଗି ଦେବାକୁ ଚେଷ୍ଟା କରେ । ଜାଲର ଯେଉଁ ଅଂଶରେ ମଲା ମାଛି ଲାଖିଥାଏ, ସେହି ଅଂଶକୁ ସେ ନିଜ ଗୋଡ଼ଦ୍ୱାରା କାଟିଦିଏ । ତଦ୍ଦ୍ୱାରା ଜାଲ ଛିଣ୍ଡିଯାଏ ଓ ମାଛି ଆପେ ଆପେ ତଳକୁ ଖସିପଡ଼େ । ଏଣୁ ଜାଲ ପୂର୍ବପରି ହାଲୁକା ହୋଇଯାଏ ।

ବୁଢ଼ିଆଣୀ ବେଳେବେଳେ ମାଛିକୁ ନ ମାରିବାର ଦେଖାଯାଏ । ମାଛି ଜୀଅନ୍ତା ଥିବା ଅବସ୍ଥାରେ ସେ ତାହା ଦେହ ଉପରେ ଅନେକଗୁଡ଼ିଏ ଅଠାଳିଆ ସୂତା ବୁଣିଦିଏ । ମାଛି ସେହି ଛନ୍ଦମଧ୍ୟରେ କିଛି ସମୟ ରହି ମରିଯାଏ । ଭୋକ ହେବାବେଳେ ବୁଢ଼ିଆଣୀ ସେହି ମଲାମାଛିଠାରୁ ପୂର୍ବପରି ରକ୍ତ ପିଏ ।

 

ପଣ୍ଡିତମାନେ ବୁଢ଼ିଆଣୀର ଏହିସବୁ ଗୁଣଦେଖି ତାକୁ ଗୋଟିଏ ଚତୁର କୀଟ ବୋଲି କହିଥାନ୍ତି । ସେମାନଙ୍କ ମତରେ ବୁଢ଼ିଆଣୀ ହିଁ ପ୍ରକୃତିର ପ୍ରଥମ ବୁଣାଳି ଜୀବ । ତାହାରିଠାରୁ ମନୁଷ୍ୟ ସମ୍ଭବତଃ ଲୁଗା ବୁଣିବାର ଉପାୟ ଶିକ୍ଷା କରିଛି । ଶୂନ୍ୟରେ ରାସ୍ତାନିର୍ମାଣ କରିବାର ଅଦ୍ଭୁତ କୌଶଳ ଜାଣିଥିବାରୁ ସେ ପ୍ରକୃତିର ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଇପାରେ । ବାସ୍ତିବିକ୍‌ ସେ ବେଳେ ବେଳେ ଏପରି ଅସୁବିଧା ସ୍ଥାନରେ ଜାଲଟିଏ ବୁଣିଦିଏ ଯେ ତାହା କିପରି ଦେଲା ଆଦୌ କଳ୍ପନା କରି ହୁଏ ନାହିଁ ।

 

ସ୍ୱିଜରଲାଣ୍ଡ ଦେଶରେ ଏକ ବିଶ୍ୱବିଦ୍ୟାଳୟରେ ବୁଢ଼ିଆଣୀ ବିଷୟରେ ବହୁ ଗବେଷଣା କରାଯାଇଛି । ସେହି ବିଶ୍ୱବିଦ୍ୟାଳୟର କେତେଜଣ ବୈଜ୍ଞାନିକ ପଣ୍ଡିତ ବୁଢ଼ିଆଣୀର ପ୍ରକୃତି ଓ କାର୍ଯ୍ୟକଳାପକୁ ବାରମ୍ୱାର ଲକ୍ଷ କରିଛନ୍ତି । ସବୁ ବୁଢ଼ିଆଣୀ ବସାଗୁଡ଼ିକ ଆକାର ଓ ପ୍ରକାରରେ ସମାନ ନ ହେବାର ବହୁତ କାରଣ ସେମାନେ ଜାଣି ପାରିଛନ୍ତି । ସେହି କାରଣମାନଙ୍କ ମଧ୍ୟରୁ ଗୋଟିଏ କାରଣ ହେଉଛି, ଯେଉଁ ବୁଢ଼ିଆଣୀ ଜାଲ ବୁଣିବାବେଳେ କାମ-ମଝିରେ ହଠାତ୍‌ ଟିକିଏ ଘୁମେଇପଡ଼େ, ତାହାର ଜାଲ, ଘୁମେଇ ପଡ଼ିଥିବା ବୁଢ଼ିଆଣୀର ଜାଲଠାରୁ ପୃଥକ୍‌ ଦିଶେ ।

 

ବୁଢ଼ିଆଣୀମାନେ ମନୁଷ୍ୟ ସମାଜର କି କି ଉପକାର କରୁଛନ୍ତି ଜାଣ ? ଏହି ପୃଥିବୀରେ ଅସଂଖ୍ୟ କୀଟପତଙ୍ଗ ପୂରି ରହିଛନ୍ତି । ସେଥିମଧ୍ୟରୁ କେତେକ କୀଟ ପତଙ୍ଗକୁ ସେମାନେ ଖାଇ ଯାଆନ୍ତି । ତାଙ୍କରି ଯୋଗୁଁ ମନୁଷ୍ୟ କେତେକ ଅଦୃଶ୍ୟ ଶତ୍ରୁଙ୍କଠାରୁ ସହଜରେ ରକ୍ଷା ପାଇ ଯାଉଅଛି-

 

ସାଧାରଣତଃ ଜୀବ ଜଗତରେ ଦେଖାଯାଏ ଯେ, କେତେକ ସ୍ତ୍ରୀଜୀବ, ପୁରୁଷଜୀବଙ୍କ ଅପେକ୍ଷା ଭୟଙ୍କରୀ ଓ ଦୁଷ୍ଟା । ସେମାନଙ୍କଠାରେ ଯଥେଷ୍ଟ ବିଷ ଥାଏ । ମାତ୍ର ମାଈବୁଢ଼ିଆଣୀ ସ୍ତ୍ରୀଜୀବ ହେଲେ ସୁଦ୍ଧା କାହାରିକୁ କାମୁଡ଼ିଦେବା ତାହାର ପ୍ରକୃତି ନୁହେଁ ।

 

ବୁଢ଼ିଆଣୀ ଜାତିର ଅନ୍ତର୍ଗତ ଅନ୍ୟ ଜୀବଙ୍କର ଆଠଗୋଟି ଆଖିଥାଏ । ସେହି ଆଖିଗୁଡ଼ିକ ଏକତ୍ରମିଳି ଗୋଟିଏ ଆଖିରକାର୍ଯ୍ୟ କରନ୍ତି । ବୁଢ଼ିଆଣୀ ବହୁଦୂରରୁ କୌଣସି ବସ୍ତୁକୁ ଦେଖି ଜାଣିପାରେ ନାହିଁ । କେବଳ ପାଖ ବସ୍ତୁକୁ ଛୁଇଁ ଓ ସାମାନ୍ୟ ଦେଖି ଚିହ୍ନିପାରେ ।

 

ଅଷ୍ଟ୍ରେଲିଆ, ଆମେରିକା, ଉତ୍ତର ଆଫ୍ରିକାରେ ବୁଢ଼ିଆଣୀ ପରି ଅନ୍ୟ ଏକପ୍ରକାର ଜୀବ ଦେଖାଯାଆନ୍ତି । ସେମାନେ ବିଶେଷ ବିଷାକ୍ତ । ସେମାନଙ୍କ ଦ୍ୱାରା କ୍ଷତି ହେବାର ଆଶଙ୍କା ଥାଏ ।

 

ଆଜିକାଲି ବୈଜ୍ଞାନିକମାନେ ବୁଢ଼ିଆଣୀ ସୂତାକୁ ଦୂରବୀକ୍ଷଣ ଯନ୍ତ୍ରମାନଙ୍କରେ ବ୍ୟବହାର କରୁଛନ୍ତି । ଯେଉଁଠି ଖଣ୍ଡିଏ ରେଶମ ସୂତା ଆଦୌ ଦରକାରରେ ଆସେ ନାହିଁ, ସେଠାରେ ବୁଢ଼ିଆଣୀର ସୂକ୍ଷ୍ମ ସୂତା ବିଶେଷ ସାହାଯ୍ୟ କରେ ।

Image

 

ଉପକାରୀ ମହୁମାଛି

 

ମହୁମାଛିଟିଏ କିପରି, ତୁମେ ହୁଏ ତ ଦେଖି ନଥିବ; କିନ୍ତୁ ମହୁ ଖାଇବାର ସୁଯୋଗ କ’ଣ କେବେ ହରାଇଛ ?

 

ମହୁ ଯେପରି ସୁଆଦିଆ, ସେହିପରି ବଡ଼ ହିତକର ।

 

କେବଳ ଆଧୁନିକ ଲୋକେ ଯେ ମହୁ ଖାଇବାକୁ ସୁଖ ପାଉଛନ୍ତି, ତାହା ନୁହେଁ । ହଜାର ହଜାର ବର୍ଷ ଆଗେ ଲୋକ ମଧ୍ୟ ଏହାକୁ ଆଦର କରୁଥିଲେ । ଏହାକୁ ନାନା ଔଷଧରେ ବ୍ୟବହାର କରାଯାଏ । କାଶ, ଯକ୍ଷ୍ମା, କଫ ଆଦି ରୋଗରେ ମହୁର ପ୍ରୟୋଜନ ଯଥେଷ୍ଟ ବେଶୀ ।

 

ମହୁମାଛିମାନେ ଫେଣାରେ ବାସ କରନ୍ତି । ଗଛ ଡାଳରେ, ଖୋଲ ଭିତରେ ଓ ପାହାଡ଼ ଉପରେ ମହୁଫେଣାମାନ ଓହଳି ଥିବାର ଦେଖାଯାଏ । ଗୋଟିଏ ସାଧାରଣ ମହୁଫେଣାରେ ପ୍ରାୟ ପଚାଶ ହଜାର ମହୁମାଛି ଥାଆନ୍ତି । ସେଥିମଧ୍ୟରୁ ଶହେରୁ ଅଧିକ ଅଣ୍ଡିରା ମହୁମାଛି, ଗୋଟିଏ ମାଆ ବା ରାଣୀ ମହୁମାଛି ଓ ଅବଶିଷ୍ଟ ଶ୍ରମିକା ବା ମାଈ ମହୁମାଛି ଥାଆନ୍ତି ।

 

ଏହି ତିନି ଜାତିର ମହୁମାଛି ପରସ୍ପରଠାରୁ ଭିନ୍ନ । ଅଣ୍ଡିରା ମହୁମାଛି ରାଣୀ ମହୁମାଛିଠାରୁ ଟିକିଏ ମୋଟା ଓ ସାନ । ତାହାର ପଛଭାଗଟି ଅତି ମୋଟା । ଏହି ମହୁମାଛି କୌଣସି କାର୍ଯ୍ୟ କରେ ନାହିଁ । ଅଳସୁଆଙ୍କ ପରି ଫେଣା ଭିତରେ ବସି ମହୁ ଓ ଫୁଲ ରେଣୁ ଦିନରାତି ଖାଉଥାଏ ।

 

ରାଣୀ ମହୁମାଛି ଲମ୍ୱା ଏବଂ ତାହାର ଓଜନ ଅନ୍ୟ ମାଛିଙ୍କ ଅପେକ୍ଷା ଅଧିକ । ଫେଣା ଭିତରେ ରାଣୀ ମହୁମାଛି ମାଲିକାଣୀ କରି ବସିଥାଏ । ଅନ୍ୟ ମହୁମାଛିମାନେ ତାକୁ ମାନି ଚଳନ୍ତି । ତାହାର ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ସମସ୍ତେ ନଜର ଦିଅନ୍ତି ।

 

ସାଧାରଣତଃ ରାଣୀ ମହୁମାଛିମାନେ ଛଅ ସପ୍ତାହରୁ ଅଧିକ-କାଳ ବଞ୍ଚନ୍ତି ନାହିଁ । ମାତ୍ର କୌଣସି କୌଣସି ଜାତିର ରାଣୀ ମହୁମାଛି ପ୍ରାୟ ପାଞ୍ଚବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି ।

 

ଶ୍ରମିକା ମହୁମାଛିଗୁଡ଼ିକ ମାଈ । ସେମାନେ ଆକାରରେ ଛୋଟ । ସେମାନଙ୍କର ପଛଆଡ଼ ଅଳ୍ପ ସରୁ । ପୁରୁଷ ମହୁମାଛି ପରି ସେମାନେ ଆଦୌ ମୋଟା ନୁହନ୍ତି କି ରାଣୀପରି ଲମ୍ୱା ନୁହନ୍ତି ।

 

ଶ୍ରମିକାମାନେ ନାନା କାର୍ଯ୍ୟରେ ବ୍ୟସ୍ତ ଥାନ୍ତି । ସେମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟ ବାଣ୍ଟି ଦିଆଯାଇଥାଏ । କେତେକ ରାଣୀ ପାଖରେ ଥାଇ ପୋଇଲିପରି ଦିନରାତି ଖଟୁ ଥାଆନ୍ତି । ରାଣୀକୁ ଶୁଆଇ ଦେବା, ତା’ର ରହୁଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିବା, ତା’ଦେହକୁ ଝାଡ଼ିଦେବା ଇତ୍ୟାଦି ସେମାନଙ୍କର ପ୍ରଧାନ କାର୍ଯ୍ୟ ।

 

ରାଣୀ ଯେତେବେଳେ ଡିମ୍ୱ ଦିଏ, ସେତିକିବେଳେ କେତେକ ଶ୍ରମିକ ମାଛି ତାହା ଡିମ୍ୱର ଯତ୍ନ ନିଅନ୍ତି । ସେଥିରୁ ଛୁଆଫୁଟିବାର ପୂରା ଦାୟିତ୍ୱ ସେମାନେ ବହନ କରନ୍ତି ।

 

ଏହାଛଡ଼ା କେତେକ ଶ୍ରମିକା ଫେଣାକୁ ସଫାସୁତୁରା କରନ୍ତି, ଯେଉଁ ମାଛିମାନେ ଫେଣାଭିତରେ ମରିଯାଇଥାଆନ୍ତି ସେମାନଙ୍କୁ ପଦାକୁ ଫିଙ୍ଗିଦେଇ ମଇଳା ଦୂର କରନ୍ତି ।

 

ଦଳେ ମାଛି ମହୁଫେଣା ରାଜ୍ୟର ସୈନ୍ୟ ଓ ପହରାବାଲା ହୋଇଥାନ୍ତି । ସେମାନେ ଶତ୍ରୁମାନଙ୍କ ଆକ୍ରମଣରୁ ଫେଣାଟିକୁ ରକ୍ଷା କରିବାର ଦାୟିତ୍ୱ ବହନ କରନ୍ତି । ଅଜାଣତରେ ଅନ୍ୟଫେଣାର କୌଣସି ମାଛି ସେମାନଙ୍କ ଫେଣା ଭିତରକୁ ପଶି ଆସିଲେ କିମ୍ୱା ଗୋଇନ୍ଦାରୂପେ କାର୍ଯ୍ୟ କରୁଥିବାର କାରଣ ଜାଣିପାରିଲେ ସେମାନେ ସେହିକ୍ଷଣି ତାକୁ ଚାରିଆଡ଼ୁ ଘେରିଯାଇ ମାରି ଦିଅନ୍ତି । ଆହୁରି କେତେକ ଶ୍ରମିକ ମହୁମାଛି ଫୁଲରୁ ରେଣୁ ଓ ରସ ଆଣି ମହୁ ତିଆର କରି ଭଣ୍ଡାରରେ ସାଇତି ରଖନ୍ତି । ଏମାନଙ୍କ ଉପରେ ଖାଦ୍ୟ ଯୋଗାଇବାର ପୂରା ଭାର ଥାଏ । ତେଣୁ ଏମାନେ ସର୍ବଦା କାର୍ଯ୍ୟରେ ବ୍ୟସ୍ତ ରହନ୍ତି ।

 

ମହୁମାଛିର ଛଅଗୋଟି ଗୋଡ଼ ଓ ଦୁଇଯୋଡ଼ା ଟାଣୁଆ ଡେଣା ଥାଏ । ତେଣୁ ସେ ଖୁବ୍‌ ଚଞ୍ଚଳ ବେଗରେ ଉଡ଼ିପାରେ । ତାହାର ପାଞ୍ଚୋଟି ଆଖି ମଧ୍ୟରୁ ଦୁଇଟିରେ ଅନେକ ଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର କୋଠରୀ ରହିଛି । ତେଣୁ ସେ ଦୂର ଜିନିଷ ଭଲରୂପେ ଦେଖିପାରେ । ତାହାର ଶୁଘିଂବା ଓ ମନେରଖିବା ଶକ୍ତି ଯଥେଷ୍ଟ ଥିବାରୁ ସେ ମଧୁ ସଂଗ୍ରହ କରିବାରେ ଅସୁବିଧା ଅନୁଭବ କରେ ନାହିଁ-

 

ସାଧାରଣତଃ ଗୋଟିଏ ଫେଣାରେ ଏକାଧିକ ରାଣୀ ମହୁମାଛି ବାସ କରିବାର ଦେଖାଯାଏ ନାହିଁ । ରାଣୀ ମହୁମାଛି ଦୁଇ ପ୍ରକାର ଡିମ୍ୱ ଦିଏ । କେଉଁ ଡିମ୍ୱରୁ ଅଣ୍ଡିରା ମାଛି ବାହାରିବ ଓ ଆଉ କେଉଁ ଡିମ୍ୱରୁ ମାଇମାଛି ବାହାରିବ ତାହା ରାଣୀ ସ୍ପଷ୍ଟ ଜାଣିପାରେ । ତେଣୁ ଅଣ୍ଡିରା ମହୁମାଛି ରହିବା ପାଇଁ ସ୍ୱତନ୍ତ୍ର କୋଠରୀ ମହୁଫେଣାରେ ରଖାଯାଏ ।

 

ଶୀତଦିନେ ମହୁମାଛି ଛୁଆଗୁଡ଼ିକ କାଳେ ମରିଯିବେ ସେଥିପାଇଁ ଶ୍ରମିକା ମାଛିମାନେ ଫେଣାର କୋଠରୀମାନଙ୍କରେ ଗୋଟିଏ ଲେଖାଏଁ ସରୁପରଦା ତିଆରି କରି ଦିଅନ୍ତି । ତଦ୍ଦ୍ୱାରା ଛୁଆମାନଙ୍କ ଦେହରେ ଥଣ୍ଡା ପବନ ବାଜେ ନାହିଁ । ମହୁମାଛି ଛୁଆମାନେ ନିଶ୍ୱାସ ପ୍ରଶ୍ୱାସ ନେବାପାଇଁ ଶ୍ରମିକାମାନେ ଫେଣାର ଦୁଆର ମୁହଁରେ ଥାଇ, ଡେଣାକୁ ବାରମ୍ୱାର ଫଡ଼୍ ଫଡ଼୍ କରି ପବନ ଯୋଗାଇ ଦିଅନ୍ତି ।

 

ଗୋଟିଏ ମହୁ ଫେଣାରେ ହଜାର ହଜାର କୋଠରୀ ଥାଏ । ସେହି କୋଠରୀଗୁଡ଼ିକରେ ବର୍ଷାପାଣି ନ ପଶିବା ଭଳି କୌଶଳ କରାଯାଇଥାଏ ।

 

ଗ୍ରୀଷ୍ମ ଓ ବସନ୍ତ ଋତୁରେ ମହୁମାଛିମାନେ ମହୁ ସଂଗ୍ରହ କରନ୍ତି । ମାତ୍ର ଶୀତଦିନେ ପଦାରେ ବୁଲି ମହୁ ସଂଗ୍ରହ କରିବା ସେମାନଙ୍କ ପକ୍ଷରେ ଖୁବ୍‌ କଷ୍ଟ ହୁଏ । ତେଣୁ ଶୀତଦିନେ ତହିଁରୁ କିଛି କିଛି ଖାଇ ଅବଶିଷ୍ଟ ମହୁକୁ ଭବିଷ୍ୟତ ପାଇଁ ସଞ୍ଚି ରଖନ୍ତି । ରୋଗୀ, ବୁଢ଼ା ଓ ବୁଢ଼ୀ ମହୁମାଛିମାନେ ବସି ବସି ଅଯଥାରେ ମହୁ ଖାଇଲେ ଫେଣାରୁ ମହୁ ସରିଯିବ ବୋଲି ଆଶଙ୍କା କରି ଅଣ୍ଡିରା ମହୁମାଛିମାନେ ସେମାନଙ୍କୁ ମାରି ପଦାକୁ ଫିଙ୍ଗି ଦିଅନ୍ତି ।

 

ମହୁମାଛିମାନେ ନିଜ ନିଜ ଜୀବନକୁ ବଳି ଦେଇ ଯେଉଁ ମହୁ ସାଇତି ରଖନ୍ତି, ତାହାକୁ ଆମ୍ଭେମାନେ ସଂଗ୍ରହ କରି କାର୍ଯ୍ୟରେ ଲଗାଉ । ମହୁମାଛିର ଏହି ଦାନ କମ୍‌ ଆଦର୍ଶ ନୁହେଁ ।

 

ମହୁମାଛିମାନେ କିପରି ମହୁ ତିଆରି କରନ୍ତି ତାହା କହିବା କଠିନ । ଶ୍ରମିକ ମାଛିମାନଙ୍କର ପେଟ ଗୋଟିଏ କାରଖାନା ପରି । ସେହି କାରଖାନାରେ ଫୁଲରସରୁ ମହୁ ଓ ମହଣ ତିଆରି ହୁଏ ।

 

ପ୍ରାୟ ସତର ଶହ ଖ୍ରୀଷ୍ଟାବ୍ଦଠାରୁ ପଣ୍ଡିତମାନେ ମହୁ ସମ୍ୱନ୍ଧରେ ନାନା କଥା ପରୀକ୍ଷା କରି ଆସୁଛନ୍ତି । ଫରାସୀ ଦେଶର ଲ୍ୟୋନାର୍ଡ଼ ବୋଡ଼୍‍ସି କହନ୍ତି ଯେ ଶ୍ରମିକାମାଛିଙ୍କର ମସ୍ତିଷ୍କରେ କେତେଗୁଡ଼ିଏ ଗ୍ରନ୍ଥି ରହିଛି । ସେହି ଗ୍ରନ୍ଥିମାନଙ୍କରେ ମହୁ ପ୍ରସ୍ତୁତ ହୁଏ । ମାତ୍ର ଏ ଯୁକ୍ତିକୁ ପଣ୍ଡିତମାନେ ଠିକ୍‌ ବୋଲି ସ୍ୱୀକାର କରନ୍ତି ନାହିଁ ।

 

ତୁମେ ପଚାରିପାର, ‘‘କେଉଁଠି ଫୁଲ ଫୁଟିଛି ବୋଲି ମହୁମାଛିମାନେ ଜାଣୁଛନ୍ତି କିପରି-?’’

 

ଏହାର ସଠିକ୍‌ ଉତ୍ତର ଦେବା କଠିନ । ଜର୍ମାନୀ ଦେଶର ଜଣେ ଅଧ୍ୟାପକ ମହୁମାଛିଙ୍କର ହାବଭାବ, ଗତିବିଧି ଓ ଗୁଣୁ ଗୁଣୁ ଶବ୍ଦରୁ ବହୁ ନୂଆତଥ୍ୟ ଜାଣି ପାରିଛନ୍ତି ।

 

ସେ କହନ୍ତି ଯେ, ଫୁଲରୁ ରସସଂଗ୍ରହ କରିବାଲାଗି ଏ ମହୁମାଛିମାନେ ବହୁତ ଦୂର ଉଡ଼ି ଯାଆନ୍ତି ସତ; କିନ୍ତୁ ତାହା ସେମାନଙ୍କୁ ଟିକିଏ ବାଧେ ନାହିଁ । ଆଠ ଛଟାଙ୍କି ମହୁ ତିଆରି କରିବାପାଇଁ ସେମାନଙ୍କୁ ପୃଥିବୀର ଚାରିପଟେ ଦୁଇ ଥର ବୁଲିଲେ ଯେତେ ବାଟ ହେବ ସେତେ ବୁଲିବାକୁ ପଡ଼େ । ଯେଉଁ ମହୁମାଛି ପ୍ରଥମେ ଫୁଲର ଖବର ପାଏ ସେ ଫୁଲର ନମୁନା ଘେନି ଚଞ୍ଚଳ ଫେରିଆସେ ଏବଂ ଅନ୍ୟମାନଙ୍କୁ ସେହି ଖବର ଜଣାଇ ଦିଏ । ତାହା ପରେ ଅନ୍ୟମାନେ ସେହି ଦିଗରେ ଉଡ଼ି ଯାଆନ୍ତି । ମହୁମାଛି ବିଭିନ୍ନ ପ୍ରକାରେ ଉଡ଼ିବା ଦ୍ୱାରା ଫୁଲଗଛ କେଉଁଠି ରହିଛି, ତାହା ଅନ୍ୟ ମାଛିମାନେ ଅନୁମାନ କରିପାରନ୍ତି ।

 

ଯଦି କୌଣସି ଫୁଲଗଛ ଫେଣାଠାରୁ ମୋଟେ ଶହେଗଜ ମଧ୍ୟରେ ଥାଏ, ତେବେ ଖବର ଆଣିଥିବା ମହୁମାଛିଟି ବୃତ୍ତ ଆକାରରେ ଉଡ଼େ, ପୁଣି ସେହି ବୃତ୍ତର ପରିଧିକୁ କେନ୍ଦ୍ରକରି ଆଉ ଗୋଟିଏ ବୃତ୍ତ କରେ । ଅନ୍ୟ ମହୁମାଛିମାନେ ତାହାକୁ ଉଡ଼ିବାର ଦେଖି ସବୁ ଜାଣିପାରନ୍ତି ଓ ଫୁଲଥିବା ସ୍ଥାନକୁ ଉଡ଼ି ଯାଆନ୍ତି ।

 

ଏହି ପୃଥିବୀରେ ପ୍ରାୟ ଚାଳିଶିହଜାର ପ୍ରକାର ମାଛି ଦେଖାଯାଆନ୍ତି; କିନ୍ତୁ ସେମାନଙ୍କ ମଧ୍ୟରେ ମହୁମାଛି ପରି ଏତେ ଉପକାରୀ କିଏ ?

Image

 

ରାକ୍ଷସ ପକ୍ଷୀ

 

ଆମେ ଅନେକ ପ୍ରକାରର ପକ୍ଷୀ ଦେଖୁଁ । କିନ୍ତୁ ସବୁ ପକ୍ଷୀ ଉଡ଼ି ପାରନ୍ତି ନାହିଁ । କେତେକ ଉଡ଼ନ୍ତି ଓ ଆଉ କେତେକ ଚାଲନ୍ତି । ଉଡ଼ି ନ ପାରୁଥିବା ପକ୍ଷୀମାନଙ୍କ ମଧ୍ୟରୁ କେତେକ ପକ୍ଷୀଙ୍କର ବଂଶ ବୁଡ଼ିଗଲାଣି । କାରଣ ଯେ କୌଣସି ଜୀବ ବଞ୍ଚି-ରହିବା ପାଇଁ ଯାହା ଯାହା ଲୋଡ଼ା ତାହାର ଅଭାବ ଘଟିଲେ ସେ ଆଉ ବଞ୍ଚିବ ନାହିଁ । ତେଣୁ ପ୍ରାଣୀମାନଙ୍କର ବଞ୍ଚିବାଟା ନାନା ଭୌଗୋଳିକ କାରଣ ଉପରେ ନିର୍ଭର କରେ ।

 

ଆଗେ ଆମ ଭାରତବର୍ଷରେ ଅନେକ ସିଂହ ଥିଲେ, ମାତ୍ର ଏବେ ସେମାନଙ୍କର ସଂଖ୍ୟା ଯଥେଷ୍ଟ କମି ଯାଇଛି । ତେଣୁ ଭାରତ ସରକାର ଜୀବଜନ୍ତୁଙ୍କୁ ରକ୍ଷା କରିବା ଲାଗି ଉଦ୍ୟମ କରୁଛନ୍ତି-

 

ଆଗେ ଅକ୍‌, ଡୋଡ଼ୋ ଓ ମୋୟା ନାମରେ ଯେଉଁ ସବୁ ପକ୍ଷୀ ଥିଲେ, ସେମାନଙ୍କ ବଂଶ ପୃଥିବୀରୁ ଲୋପ ପାଇଗଲାଣି । ବର୍ତ୍ତମାନ ଯେତେଗୁଡ଼ିଏ ବଡ଼ ବଡ଼ ପକ୍ଷୀ ଦେଖାଯାଆନ୍ତି ସେମାନଙ୍କ ମଧ୍ୟରୁ ଓଟପକ୍ଷୀ ଗୋଟିଏ । ଏହାକୁ ଦେଖିଲେ ଯେ କେହି ଲୋକ ଡରିବ । କାରଣ ତାହାର ଦେହ ରାକ୍ଷସ ପରି କି ବିରାଟ !

 

ପାରା, କୁଆ, କୋଇଲି, ଚିଲଙ୍କ ପରି ‘ଓଟପକ୍ଷୀ’ ଉଡ଼ିପାରେନାହିଁ । ପଣ୍ଡିତମାନେ କହନ୍ତି ଯେ, ଆଗେ ଏହି ପକ୍ଷୀ ଉଡ଼ିପାରୁ ଥିଲା । ମାତ୍ର ଜଳବାୟୁର ପ୍ରଭାବ ଯୋଗୁ ତାହାର ଶରୀର ଖୁବ୍‌ ବୃଦ୍ଧିପାଇଛି ଏବଂ ସେ ଉଡ଼ିବାକୁ ସମର୍ଥ ହେଉନାହିଁ ।

 

ଓଟପକ୍ଷୀ ଦୌଡ଼ିବାଲାଗି ଭଗବାନ୍‌ ତା’ ଗୋଡ଼ରେ ଯଥେଷ୍ଟ ଶକ୍ତି ଦେଇଛନ୍ତି । ଗୋଟିଏ ମଟରଗାଡ଼ି ପକାରାସ୍ତାରେ ସାଧାରଣତଃ ଘଣ୍ଟାକେ ଷାଠିଏ ମାଇଲ ବେଗରେ ଚାଲେ; କିନ୍ତୁ ଓଟପକ୍ଷୀ ତାହାଠାରୁ ଅଧିକ ବେଗରେ ଦୌଡ଼ିପାରେ । ଘୋଡ଼ା କେତେ ଚଞ୍ଚଳ ନ ଦୌଡ଼େ ? କିନ୍ତୁ ରାକ୍ଷସ ପକ୍ଷୀ ତାକୁ ଅତି ସହଜରେ ଟପିଯାଏ ।

 

ଆଫ୍ରିକା ମହାଦେଶରେ ଅନେକ ଓଟପକ୍ଷୀ ଦେଖାଯାନ୍ତି । ସେମାନଙ୍କର ଦେହ ଖୁବ୍‌ ବଡ଼, ଘୋଡ଼ାଭଳି ସେମାନଙ୍କର ଉଚ୍ଚତା ଅଛି । ସେମାନଙ୍କ ଦେହର ଲମ୍ୱ ପ୍ରାୟ ଆଠଫୁଟ । ଜଣେ ସାଧାରଣ ଲୋକର ଉଚ୍ଚତାଠାରୁ ଓଟପକ୍ଷୀ ଢେର ବଡ଼ । କେବଳ ସେତିକି-ନୁହେଁ, ଦେହଠାରୁ ମୁଣ୍ଡର ଶେଷ ପର୍ଯ୍ୟନ୍ତ ଉଚ୍ଚତା ତିନିଫୁଟ । ତିନିଜଣ ଲୋକଙ୍କର ଓଜନକୁ ଏକାଠି ମିଶାଇଲେ ଯେତିକି ହେବ, ଗୋଟିଏ ରାକ୍ଷସ ଓଟପକ୍ଷୀର ଓଜନ ପ୍ରାୟ ସେତିକି । ଜେବ୍ରାପରି ଖୁବ୍‌ ଚଞ୍ଚଳ ବେଗରେ ଦୌଡ଼ିପାରେ ବୋଲି କେହି କେହି ଓଟ-ପକ୍ଷୀକୁ ତାହାର ବନ୍ଧୁ ବୋଲି କହନ୍ତି ।

 

ସାଧାରଣତଃ ବିଭିନ୍ନ ପ୍ରାଣୀଙ୍କର ଦେହର ଭିନ୍ନ ଭିନ୍ନ ଅଂଶରେ ଅଧିକ ଜୋରଥାଏ । ପିଲାଙ୍କ ଭିତରେ ଯେଉଁମାନେ ‘ବାଉଁଆ’ ସେମାନଙ୍କର ବାମହାତଟିରେ ଖୁବ୍‌ ଜୋରଥାଏ । ସେହି ହାତରେ ସେମାନେ ଓଜନିଆ ଜିନିଷକୁ ସହଜରେ ଉଠାଇ ଦିଅନ୍ତି । ଟେକାମଧ୍ୟ ସେହି ହାତରେ ଫିଙ୍ଗନ୍ତି । କୂଅରୁ ଢାଳେପାଣି କାଢ଼ିବା ବେଳେ ସେମାନେ ସେହି ହାତଟିକୁ ବାରମ୍ୱାର କାମରେ ଲଗାନ୍ତି ।

 

ଏହିପରି ପ୍ରତ୍ୟେକ ଜୀବର ଗୋଡ଼ରେ ହେଉ, କିମ୍ୱା ଦେହର ଅନ୍ୟ କୌଣସି ଅଂଶରେ ହେଉ, କିଛି ଅଧିକ ଶକ୍ତିଥାଏ । ମଇଁଷିମାନଙ୍କର ଶିଙ୍ଗ ଭାରି ଟାଣ । ତେଣୁ ସେମାନେ ବିପଦବେଳେ ଓ ନାନା କାର୍ଯ୍ୟରେ ଶିଙ୍ଗକୁ ଆଗେ ବ୍ୟବହାର କରନ୍ତି । ହାତୀକଥା ବିଚାର । ତାହାର ଶୁଣ୍ଡରେ ଖୁବ୍‌ ଶକ୍ତିଥିବାରୁ ସେ ବଡ଼ କାଠଗଡ଼ ଉଠାଏ ଓ ଗଛକୁ ଭାଙ୍ଗିଦିଏ । ସିଂହର ପଞ୍ଝା, କୁମ୍ଭୀରର ଲାଞ୍ଜ, ଜିରାଫର ପଛ ଗୋଡ଼ରେ ଯେତେ ବଳଥାଏ ଦେହରେ ଅନ୍ୟ କୌଣସି ଅଂଶରେ ସେତିକି ବଳ ନଥାଏ । ସେହିପରି ଓଟପକ୍ଷୀର ଗୋଡ଼ ଦୁଇଟାରେ ବେଶୀ ଶକ୍ତି ଥାଏ । ଯେକୌଣସି ଓଟପକ୍ଷୀ ବିପଦ ବେଳେ ଗୋଡ଼ଦ୍ୱାରା ମଣିଷର ହାତ କିମ୍ୱା ଗୋଡ଼ର ହାଡ଼ ଭାଙ୍ଗି ଦୁଇଖଣ୍ଡ କରି ଦେଇ ପାରିବ ।

 

ଓଟପକ୍ଷୀ ଦେଖିବାକୁ ବିଶେଷ ସୁନ୍ଦର ନୁହେଁ । ସେ ମରୁଭୂମିର ବାଲି ଭିତରେ ବାସକରେ । ବାଲିକୁ ଗୋଡ଼ରେ ଖୋଳି ତହିଁରେ ପଶେ । ଗୋଟିଏ ଗୋଟିଏ ଅଣ୍ଡିରା ଓଟପକ୍ଷୀ ପାଖରେ ପାଞ୍ଚଛଅ ଗୋଟି ମାଈ ପକ୍ଷୀ ଥାଆନ୍ତି । ସେମାନେ ଦଳବାନ୍ଧି ବାସ କରିବାକୁ ସୁଖ ପାଆନ୍ତି । କିନ୍ତୁ ବିଭିନ୍ନ ଦଳ ମଧ୍ୟରେ ମାଡ଼ଗୋଳ ଲାଗିବା କ୍ୱଚିତ ଦେଖାଯାଏ ।

 

ଗୋଟିଏ ଓଟପକ୍ଷୀ ସୁଖରେ ଚରି ବୁଲି ଖାଦ୍ୟ ସଂଗ୍ରହ କରିବାପାଇଁ ଊଣା ଅଧିକେ ଦଶଏକର ଜମି ଦରକାର କରେ । ମରୁଭୂମିହିଁ ସେମାନଙ୍କ ପାଇଁ ଖୁବ୍‌ ପ୍ରଶସ୍ତ ସ୍ଥାନ । ଚରାଭୂମି ଅଭାବ ଘଟିଲେ ସେମାନେ ଆଦୌ ବଞ୍ଚିପାରନ୍ତି ନାହିଁ । କଅଁଳିଆ ପତ୍ର, ଡେମ୍ଫ, ମଞ୍ଜି ଓ ଫଳ ବ୍ୟତୀତ ପୋକମାନଙ୍କୁ ଖାଇ ସେମାନେ ଜୀବନ ଧାରଣ କରନ୍ତି ।

 

ଓଟପକ୍ଷୀମାନେ ବାଲିରେ ଡିମ୍ୱ ଦିଅନ୍ତି । ମାଈପକ୍ଷୀ ଡିମ୍ୱକୁ ବେଶୀ ସମୟ ଉଷୁମାଏ । ସୂର୍ଯ୍ୟଙ୍କ କିରଣରେ ବାଲି ତାତିଗଲେ ଡିମ୍ୱମଧ୍ୟ ଉଷୁମ ହୋଇଯାଏ । ମାଈ ପକ୍ଷୀର ପରଗୁଡ଼ିକ ଧଳା ଓ ଧୂସରବର୍ଣ୍ଣ । ଡିମ୍ୱକୁ ଉଷୁମ କରୁଥିବା ବେଳେ ମାଈପକ୍ଷୀ ଲମ୍ୱା ବେକକୁ ଉପରକୁ ଟେକି ବସେ ନାହିଁ । କାରଣ ଶିକାରୀ ତାକୁ ଲକ୍ଷ୍ୟକରି ମାରିଦେବ ବୋଲି ସେହି ଭୟରେ ସେ ବେକକୁ ଲମ୍ୱାଇ ଭୂଇଁରେ ଶୋଇଥାଏ । ଡିମ୍ୱରୁ ଛୁଆଫୁଟିବା ପାଇଁ ପ୍ରାୟ ଏକମାସରୁ କିଛି ଅଧିକ ସମୟ ଲାଗେ । ଛୁଆଗୁଡ଼ିକ ଟିକିଏ ବଡ଼ ହୋଇଗଲେ ସେମାନେ ଅନ୍ୟ ଓଟପକ୍ଷୀର ଡିମ୍ୱକୁ ଖାଇ ବଞ୍ଚନ୍ତି-। ତାହାପରେ ବାପ ମା ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଅନ୍ତି ।

 

ଥରେ ଗୋଟିଏ ଓଟପକ୍ଷୀର ପେଟ ଭିତରୁ ଲୁହାକଣ୍ଟା କାଠି, ଦଉଡ଼ିଖଣ୍ଡ, ଗୋଡ଼ି, କନା, ଓ ମୁଦ୍ରା ଇତ୍ୟାଦି ନାନା ଅଖାଦ୍ୟ ପଦାର୍ଥ ମିଳିଥିଲା ।

 

ଓଟପକ୍ଷୀର ଛୁଆଗୁଡ଼ିକ ଛଅମାସର ହୋଇଗଲେ ଖୁବ୍‌ ବଡ଼ ଦିଶନ୍ତି । ପ୍ରାୟ ତିନିବର୍ଷ ପୂରିବାଯାଏ, ସେମାନଙ୍କ ଦେହର ଗଠନର ପରିବର୍ତ୍ତନ ଘଟୁଥାଏ । ସେମାନେ ଊଣା ଅଧିକେ ଷାଠିଏ ବର୍ଷ ବଞ୍ଚନ୍ତି ।

 

ଶିକାରୀମାନେ ଏମାନଙ୍କୁ ମାରିବାଲାଗି ସବୁବେଳେ ଚେଷ୍ଟା କରନ୍ତି, କିନ୍ତୁ ଏମାନଙ୍କୁ ସହଜରେ ମାରିପାରନ୍ତି ନାହିଁ । ଦକ୍ଷିଣ ଆଫ୍ରିକା ଓ ପୂର୍ବ ଆଫ୍ରିକାରେ ଯେଉଁ ପ୍ରକାରର ଓଟପକ୍ଷୀ ଦେଖାଯାନ୍ତି ସିରିୟା, ମେସୋପୋଟେମିୟାରେ ସେହି ପ୍ରକାରର ଦେଖାଯାଆନ୍ତି ନାହିଁ । ମରୁଭୂମିରେ ଓଟପକ୍ଷୀଙ୍କୁ ମାରିବା ସହଜ ବ୍ୟାପାର ନୁହେଁ । ତେଣୁ ଶିକାରୀମାନେ ଘୋଡ଼ା ପିଠିରେ ଚଢ଼ି, ଖୁବ୍‌ ସାବଧାନ ହୋଇ ଶିକାର କରନ୍ତି । ଘୋଡ଼ାଠାରୁ ଓଟପକ୍ଷୀର ଗତି ଅଧିକ । ଏହି କଥା ଜାଣିଥିବା ଶିକାରୀମାନେ ଆଗଆଡ଼ୁ ଓ ପଛଆଡ଼ୁ ଆକ୍ରମଣ କରନ୍ତି । କେହି ଗୋଟିଏ ଆଡ଼ୁ ସିଧାସଳଖ ଆକ୍ରମଣ କଲେ ଆଦୌ ମାରିପାରିବ ନାହିଁ । ଓଟପକ୍ଷୀମାନେ ବୃତ୍ତ ଆକାରରେ ଦଉଡ଼ନ୍ତି । ଏହା ସେମାନଙ୍କର ପ୍ରକୃତି । ସେମାନେ ଯେଉଁ ସ୍ଥାନରୁ ଦଉଡ଼ି ପଳାଇ ଯାଇ ଥାଆନ୍ତି, ଧାଇଁ ଧାଇଁ ପୁଣି ସେହି ସ୍ଥାନରେ ଆସି ପହଞ୍ଚନ୍ତି । ତେଣୁ କେବଳ ଦକ୍ଷ ଶିକାରୀମାନେ ଓଟପକ୍ଷୀ ଶିକାର କରିବାରେ କୃତକାର୍ଯ୍ୟ ହୁଅନ୍ତି ।

 

ମୟୂର କଳାମେଘର ସୌନ୍ଦର୍ଯ୍ୟ ଦେଖି ଆନନ୍ଦରେ ପୁଚ୍ଛ ମେଲାଇ ନାଚେ । ମାତ୍ର ଓଟପକ୍ଷୀର ସେ ସୌନ୍ଦର୍ଯ୍ୟ ଜ୍ଞାନ ନାହିଁ । ମେଘକୁ ଦେଖି ସେ କେବେହେଲେ ନାଚେ ନାହିଁ । ବେଳେବେଳେ ଆଠ ଦଶଟି ପକ୍ଷୀ ବୁଲୁଥିବାବେଳେ ହଠାତ୍‌ ଗୋଟିଏ ସ୍ଥାନରେ ଠିଆ ହୋଇ ନିଜ ନିଜର ଡେଣାଗୁଡ଼ିକ ଛତାପରି ମେଲାଇ ଦେହ ଉପରେ ଟେକି ରଖନ୍ତି ଓ ତାହାପରେ ନାଚନ୍ତି ।

 

ଓଟପକ୍ଷୀ ଓଟପରି ପାଣି ନ ପିଇ କିଛିଦିନ ଚଳିଯାଏ । ତାହା ଗୋଡ଼ରେ ଦୁଇଟି ମାତ୍ର ଆଙ୍ଗୁଠି ଥାଏ । ଏହି ଜାତିର ଅନ୍ୟ ଓଟପକ୍ଷୀଙ୍କ ପାଦରେ ତିନୋଟି କିମ୍ୱା ଚାରୋଟି ଆଙ୍ଗୁଠି ଥାଏ ।

 

ଆଜିକାଲି ବ୍ୟବସାୟ ଉଦ୍ଦେଶ୍ୟରେ ଆଫ୍ରିକାର ବହୁ ଓଟପକ୍ଷୀ ମରା ଯାଉଛନ୍ତି । ସେମାନଙ୍କ ଡେଣାରୁ ଯେଉଁ ପର ମିଳେ ତାହିଁରେ ସୁନ୍ଦର ପଙ୍ଖା ପ୍ରସ୍ତୁତ ହୁଏ । ତାହାକୁ ଆଫ୍ରିକାବାସୀ ବ୍ୟବହାର କରନ୍ତି । କେବଳ ସେତିକି ନୁହେଁ, ସେମାନଙ୍କର ଡିମ୍ୱଙ୍କୁ ମଧ୍ୟ ସେ ଦେଶର ଲୋକେ ଆଗ୍ରହରେ ଖାଆନ୍ତି । ଗୋଟିଏ ଓଟପକ୍ଷୀର ଡିମ୍ୱ ଦଶ କିମ୍ୱା ବାରଜଣ ଲୋକଙ୍କର ଉତ୍ତମ ଖାଦ୍ୟ ହୁଏ । କୌଣସି ଡିମ୍ୱର ଓଜନ ପ୍ରାୟ ଏକସେରରୁ ଊଣା ନୁହେଁ । ଏହି ଅଣ୍ଡାକୁ ସିଝାଇବା ଲାଗି ପ୍ରାୟ ଚାଳିଶ ମିନ୍‌ଟରୁ ଅଧିକ ସମୟ ଲାଗେ । ସାଧାରଣତଃ ପକ୍ଷୀମାନଙ୍କର କଣ୍ଠ ଧ୍ୱନି ମଧୁର, କିନ୍ତୁ ଓଟପକ୍ଷୀର ରୁକ୍ଷ ସ୍ୱର ସିଂହର ଭୀଷଣ ରଡ଼ି ପରି ଜଣାପଡ଼େ । ରୂପଗୁଣରେ ଓଟପକ୍ଷୀ ଅଦ୍ଭୁତ ହୋଇଥିବାରୁ ତାକୁ ‘ରାକ୍ଷସପକ୍ଷୀ’ କୁହାଯାଇଛି ।

Image

 

ଦୁଇଟି ବଡ଼ଜୀବ

‘ସମୁଦ୍ର ବାଘ’

 

ଏହି ପୃଥିବୀରେ ଜଳଭାଗର-ପରିମାଣ ସ୍ଥଳଭାଗଠାରୁ ଢେର ବେଶୀ । ପ୍ରଶାନ୍ତ ମହାସାଗରରେ ଯେଉଁ ପରିମାଣରେ ପାଣି ଅଛି, ତାହା ସମୁଦାୟ ପୃଥିବୀରେ ଥିବା ସ୍ଥଳଭାଗଠାରୁ ଅଧିକ । ପୃଥିବୀର ପାଞ୍ଚ ଭାଗରୁ ଦୁଇଭାଗ ସ୍ଥଳ ଏବଂ ଅବଶିଷ୍ଟ ଅଂଶ ଜଳ ।

 

ସମୁଦ୍ରରେ କେତେକ ଜୀବଜନ୍ତୁ ଅଛନ୍ତି, ତାହାର ହିସାବ ଦେବା କଠିନ । ତଥାପି, ତିମି, ହାଙ୍ଗର, ସିନ୍ଧୁ ଘୋଟକ, ଉଡ଼ନ୍ତା ମାଛ, ସ୍ପଞ୍ଜ, ଶାମୁକା ଇତ୍ୟାଦିଙ୍କର ନାମ ବିଶେଷ ଉଲ୍ଲେଖଯୋଗ୍ୟ-। ପାଣିରେ ଥିବା ଜୀବମାନଙ୍କ ମଧ୍ୟରୁ କେବଳ ଦୁଇଟି ବଡ଼ଜୀବଙ୍କର କାହାଣୀ ଶୁଣ-

 

ସମୁଦ୍ରରେ ‘ହାଙ୍ଗର’ ନାମରେ ଏକପ୍ରକାର ଭୟଙ୍କର ମାଛ ଅଛି । ତାହାକୁ ‘ସମୁଦ୍ରବାଘ’ କହନ୍ତି । ସେ ମଣିଷକୁ ମାରି ଖଣ୍ଡ ଖଣ୍ଡ କରିଦିଏ । ସମୁଦ୍ର ବାଘର ଅନିଷ୍ଟକାରିତା ବିଷୟରେ ଅନେକ କାହାଣୀ ଶୁଣାଯାଏ । ସେଗୁଡ଼ିକ ସବୁ ସତ୍ୟ ନୁହେଁ । କେହି କେହି କେତେକ ସତ୍ୟ ଘଟଣା କହିବାର ଜଣା ପଡ଼ିଛି । ଜଣେ ଦକ୍ଷ ବୁଡ଼ାଳୀ ତାଙ୍କ ଜୀବନରେ ଯାହା ଅନୁଭବ କରିଥିଲେ, ତାହା ଶୁଣ ।

 

ଡାକ୍ତର ବିବି ଜଣେ ଭାରି ସାହସୀ ଲୋକ । ସମୁଦ୍ରତଳକୁ ଯାଇ ନାନା ଜୀବଙ୍କୁ ଦେଖିବାପାଇଁ ସେ ସୁଖ ପାଉଥିଲେ । ଥରେ ସେ ମନରେ ଖୁବ୍‌ ଆଣ୍ଟବାନ୍ଧି ପାଦରେ ସ୍ୱତନ୍ତ୍ର ଧରଣର ହଳେ ଜୋତା ପିନ୍ଧିଲେ । ଦେହରେ ଗାଧୁଆ ପୋଷାକ ପିନ୍ଧି ମୁଣ୍ଡରେ ଗୋଟିଏ ତମ୍ୱାର ଟୋପି ଲଗାଇଲେ । ତାହାପରେ ସେ ପାଣି ଭିତରେ ବୁଡ଼ିଲେ । ଏଥିପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ସୁବିଧାରେ ନେବାପାଇଁ ବାୟୁଥଳୀ ସାଙ୍ଗରେ ନେଇଥିଲେ । ସେ ପଶ୍ଚିମ ଦ୍ୱୀପପୁଞ୍ଜଠାରେ ସମୁଦ୍ରତଳକୁ ଅବତରଣ କଲେ । ସମୁଦ୍ର ଜୀବଙ୍କର ଫଟୋ ନେବାପାଇଁ ତାଙ୍କ ପାଖରେ ଦାମିକା କାମେରା ଥିଲା । ସେ ଆଗରୁ ବହୁବାର ସମୁଦ୍ରତଳକୁ ଯାତ୍ରା କରିଥିଲେ । ମାତ୍ର ସେ ଦୈବାତ୍‌ ଗୋଟିଏ ହାଙ୍ଗର ମାଛ ହାବୁଡ଼ରେ ପଡ଼ିବାରୁ ବାଧ୍ୟ ହୋଇ ତା’ ସହିତ ତାଙ୍କର ଲଢ଼େଇ ହୋଇଥିଲା-। ସେ ଖୁବ୍‌ କୌଶଳରେ ସେହି ବିପଦରୁ ରକ୍ଷାପାଇ ପ୍ରାଣଘେନି ପଳାଇ ଆସିଲେ-

 

ଡକ୍ଟର ଜର୍ଜ ଲାନୋ ହାଙ୍ଗରମାଛଙ୍କ ଅନିଷ୍ଟକାରିତା ସମ୍ୱନ୍ଧରେ କେତେକ କଥା କହନ୍ତି । ସେ ଓ ତାଙ୍କ ଦଳର ଲୋକେ ପଚିଶଶହ ଉଡ଼ାଜାହାଜ ଚାଳକଙ୍କଠାରୁ ନାନା ତଥ୍ୟ ସଂଗ୍ରହ କରିଥିଲେ । ୧୯୪୦ ଖ୍ରୀଷ୍ଟାବ୍ଦଠାରୁ ୧୯୫୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଆମେରିକା, କାନେଡ଼ା, ଇଂଲଣ୍ଡ, ନିଉଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଜର୍ମାନୀ ଦେଶର କେତେକ ଉଡ଼ାଜାହାଜ ଚାଳକ ତାଙ୍କୁ ହାଙ୍ଗର ମାଛଙ୍କ ବିଷୟରେ କୌତୁହଳପୂର୍ଣ୍ଣ ବହୁ କଥା ଯୋଗାଇ ଦେଇଥିଲେ । ସେସବୁ ପଢ଼ି ଡକ୍ଟର ଜର୍ଜ କହିଲେ ଯେ କେବଳ ବଡ଼ ହାଙ୍ଗର ମାଛ ମଣିଷର କ୍ଷତି କରନ୍ତି; ଛୋଟ ମାଛମାନେ ପ୍ରାୟ କ୍ଷତି କରନ୍ତି ନାହିଁ-। ତାଙ୍କ ମତରେ ଅନ୍ୟୂନ ତିନିଶହ ପଚିଶ ପ୍ରକାର ହାଙ୍ଗର ଜାତିର ମାଛ ଦେଖାଯାନ୍ତି । ସେଥିମଧ୍ୟରୁ କେବଳ କୋଡ଼ିଏ ବା ତାହାଠାରୁ କିଛି ଅଧିକ ସଂଖ୍ୟକ ମାଛ ମଣିଷକୁ ଆକ୍ରମଣ କରିବାର ଦେଖାଯାଇଛି । ସେ ପୁଣି କହନ୍ତି, ‘‘ଏ ପୃଥବୀର ସବୁ ସମୁଦ୍ର ଓ ମହାସମୁଦ୍ରରେ ହାଙ୍ଗର ଜାତିର ମାଛ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଭୀର ଜଳରେ ବାସ କରନ୍ତି; ବାକିଗୁଡ଼ିକ ପାଣି ଉପରେ ବିଚରଣ କରନ୍ତି । ସେମାନଙ୍କ ଦ୍ୱାରାହିଁ ମଣିଷ ବିପଦର ସମ୍ମୁଖୀନ ହୁଏ ।’’

 

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ନୌବିଭାଗୀୟ କର୍ମଚାରୀଙ୍କ ଜୀବନରେ ନିମ୍ନଲିଖିତ ଏକ ଅଦ୍ଭୁତ ଘଟଣା ଘଟିଥିଲା ।

 

ଥରେ ସେହି ନୌବିଭାଗୀୟ କର୍ମଚାରୀ ବୁଡ଼ା ଜାହାଜରେ କୌଣସିଆଡ଼େ ସମୁଦ୍ରରେ ଯାତ୍ରା କରୁଥିଲେ । ହଠାତ୍‌ ତାଙ୍କ ବୁଡ଼ା ଜାହାଜରେ କୌଣସି କାରଣରୁ ପାଣି ପଶିବାକୁ ଲାଗିଲା । ସେ ଜାହାଜରୁ ରକ୍ଷାପାଇ ସମୁଦ୍ର ପାଣିରେ ପହଁରୁଥିବା ବେଳେ ଦୁଇଟି ଟିଣ ଭାସୁଥିବାର ଦେଖିଲେ । ସେଗୁଡ଼ିକ ଆଶ୍ରାକରି ସମୁଦ୍ରକୂଳ ଆଡ଼କୁ ପହଁରି ଆସୁଥିବାବେଳେ ହଠାତ୍‌ କିଏ ତାଙ୍କର ଡାହାଣ ଗୋଡ଼କୁ ସଲ ସଲ କଲା । ସେ ଗୋଡ଼କୁ ଖୁବ୍‌ ଚଞ୍ଚଳ ଟାଣି ଆଣିଲେ । କିନ୍ତୁ ସେହି ଗୋଡ଼ ବେଳକୁବେଳ ଭୀଷଣ ପୋଡ଼ିବାକୁ ଲାଗିଲା । ସେ ଜାଣିଲେ ଯେ କୌଣସି ଜୀବ ତାଙ୍କ ଗୋଡ଼କୁ କ୍ଷତ କରିଛି; ତେଣୁ ଲୁଣିପାଣି ଲାଗି ତାହା ପୋଡ଼ୁଛି ।

 

ସେ ଏହି ଭଳି ଅନୁମାନ କରୁଥିବା ବେଳେ ପ୍ରାୟ ଦଶଫୁଟ ଅନ୍ତରରେ ହଠାତ୍‌ ଗୋଟାଏ ପ୍ରକାଣ୍ଡ ମାଛକୁ ଦେଖିଲେ । ସେହି ମାଛର ମୁହଁଟା କି ଭୟଙ୍କର ! ତାହାର ସେହି ରୂପ ଦେଖି ତାଙ୍କ ଛାତି ଦୁଲୁକି ଉଠିଲା । ସେ ପ୍ରାଣ ବିକଳରେ ଚିତ୍କାର କରି ଜୀବନର ସମସ୍ତ ଆଶା ହରାଇ ବସିଲେ ଏବଂ ଭଲମନ୍ଦ କିଛି ବିଚାର ନ କରି ସାଙ୍ଗେ ସାଙ୍ଗେ ତାହାର ମୁହଁକୁ ଗୋଇଠାଏ ମାରିଲେ । ମାଛଟା ମାଡ଼ଖାଇ ପଳାଇଯିବ ବୋଲି ତାଙ୍କର ଧାରଣା ଥିଲା; ମାତ୍ର ସମୁଦ୍ର ବ୍ୟାଘ୍ର କ’ଣ ଏଭଳି ସାମାନ୍ୟ ମାଡ଼କୁ କେବେହେଲେ ଖାତର କରେ ? ସେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ମୁହଁ ଟେକିଲା । କର୍ମଚାରୀ ଜଣକ ଭୀତତ୍ରସ୍ତ ହୋଇଥିଲେ ମଧ୍ୟ ମନର ବଳ ହରାଇ ନ ଥିଲେ । ସେ ଖୁବ୍‌ ସାହସରେ ମାଛର ନାକରେ ଦୁଇଟା ବିଧା ଦେଲେ । ସେହି ଆଘାତ ପାଇ ମାଛ ଦୁଇଫୁଟ ପାଣିତଳକୁ ବୁଡ଼ିଗଲା । ତାହାପରେ କର୍ମଚାରୀ ତାଙ୍କ ବାମ ହାତରେ ରକ୍ତଧାର ଦେଖିଲେ-। ମେଞ୍ଚାଏ ମାଂସ ସେହି ହାତରୁ ଛେଲି ହୋଇ ଯାଇଥିବାରୁ ସେହି ରକ୍ତ ବୋହୁଥିଲା । ଲୁଣପାଣି ଲାଗି ତାହା ପୂର୍ବାପେକ୍ଷା ଅଧିକ ଯନ୍ତ୍ରଣା ହେଲା । ସେତିକିବେଳେ ଅଳ୍ପ ଦୂରରେ ଗୋଟିଏ ଜାହାଜ ଧୀରେ ଧୀରେ ଯାଉଥିଲା । ସେ ଚିତ୍କାରକରି ସାହାଯ୍ୟ ଲୋଡ଼ିଲେ । ଜାହାଜ ଚାଳକଙ୍କ ଦୟାଯୋଗୁଁ ସେଦିନ ସେ ମୃତ୍ୟୁମୁଖରୁ ରକ୍ଷା ପାଇଥିଲେ ।

 

ତତ୍‌ପରେ ସେହି ହାଙ୍ଗର ମାଛକୁ ଜାହାଜ ଉପରୁ ଗୁଳିକରି ମାରି ଦିଆଗଲା ।

 

ଯେଉଁ ହାଙ୍ଗର ମାଛଗୁଡ଼ିକ ଧଳା, ସେଗୁଡ଼ିକର ଦାନ୍ତ ଖୁବ୍‌ ମୁନିଆ । ତାହା ଯେପରି ଟାଣ, ସେପରି ବଡ଼ । ଦାନ୍ତର ମାଢ଼ି ମଧ୍ୟ ଯଥେଷ୍ଟ ଶକ୍ତ । ତେଣୁ ଧଳା ହାଙ୍ଗରମାଛ ଯେ କୌଣସି ଲୋକର ହାତ କିମ୍ୱା ଗୋଡ଼ର ହାଡ଼କୁ ଅକ୍ଳେଶରେ କାମୁଡ଼ି ଭାଙ୍ଗିଦେଇପାରିବ ।

 

ବଡ଼ ବଡ଼ ହାଙ୍ଗରମାଛର ଲମ୍ୱ କୋଡ଼ିଏ ଫୁଟରୁ ଷାଠିଏ ଫୁଟ ପର୍ଯ୍ୟନ୍ତ ଥାଏ । ସେମାନଙ୍କ ମୁହଁ ସାଧାରଣତଃ ତଳକୁ ଥାଏ । ଚୀନାମାନେ ଅତି ଆଗ୍ରହରେ ଏଇସବୁ ମାଛ ଖାଆନ୍ତି । ସେମାନଙ୍କ ଯକୃତ୍‌ରୁ ପ୍ରଚୁର ତେଲ ମିଳେ ଓ ଦେହରୁ ଚମଡ଼ା ଆଦାୟ କରାଯାଏ । ତେଣୁ ଲୋକେ ସେମାନଙ୍କୁ ଶିକାର କରି ଲାଭବାନ ହୁଅନ୍ତି ।

 

ତିମି ଶିକାର

 

ସ୍ଥଳରେ ହାତୀ ବଡ଼ ଓ ଜଳରେ ତିମି ବଡ଼ । ଗୋଟିଏ ବଡ଼ତିମିର ଓଜନ ଦଶଟା ହାତୀର ଓଜନଠାରୁ ବେଶୀ । ଛୁଆ ତିମିମାଛର ଓଜନ ଗୋଟିଏ ବୟସ୍କ ହାତୀର ଓଜନଠାରୁ ଯଥେଷ୍ଟ ଅଧିକ । କେତେକ ତିମିଙ୍କର ମୁଣ୍ଡ ଟିକି ହାତୀର ପେଟପରି ମୋଟା । ତିମିର ଦେହ କିଭଳି ବିରାଟ, ତାହା ସହଜରେ ଅନୁମାନ କରି ପାରିବ ।

 

ତିମି ଗୋଟିଏ ସ୍ତନ୍ୟପାୟୀ ଜୀବ । ଏହା ଉତ୍ତର ଓ ଦକ୍ଷିଣ ମହାସାଗରମାନଙ୍କରେ ଦେଖାଯାଏ । ବଡ଼ ତିମି ଦେହରେ ଲୋମଥାଏ । କିନ୍ତୁ ଛୁଆମାନଙ୍କ ଦେହରେ ତାହା ନ ଥାଏ । ତିମି ପାଣିରେ ବହୁସମୟ ବୁଡ଼ି ରହିପାରେ ନାହିଁ । ପ୍ରାୟ ପନ୍ଦର କି-କୋଡ଼ିଏ ମିନିଟ୍‌ ପରେ ପାଣିଉପରକୁ ଉଠି ନାକବାଟେ ବାୟୁ ଗ୍ରହଣ କରେ । ସେହି ବାୟୁ ନିଃଶ୍ୱାସରେ ଛାଡ଼ିବା ବେଳେ ଘଡ଼ିବାଣ ପରି ପାଣି ସିରିସିରି ହୋଇ ଉପରକୁ ଉଠେ । ସେ ବେଳେବେଳେ ଏପରି ଜୋରରେ ନିଃଶ୍ୱାସ ଛାଡ଼େ ଯେ, ପାଣି ପ୍ରାୟ ପନ୍ଦରଫୁଟ ଉଚ୍ଚକୁ ଉଠି ପୁଣି ତଳକୁ ଖସେ ।

 

ତିମିମାଛ ଦେହରେ ପ୍ରାୟ ଦୁଇଫୁଟ ବହଳରେ ଚର୍ବି ଥାଏ । ଚର୍ବିଯୋଗୁଁ ତାହାର ଦେହ ଗରମ ରହେ ଏବଂ ସେ ଥଣ୍ଡାପାଣିରେ ସହଜରେ ବାସ କରିବାକୁ ସମର୍ଥ ହୁଏ ।

 

ତିମି ଅନେକ ପ୍ରକାରର ଦେଖାଯାଆନ୍ତି । କେତେକଙ୍କର ଦାଢ଼ୁଆ ଦାନ୍ତ ଓ ଆଉ କେତେକଙ୍କର ଦାନ୍ତ ନ ଥାଏ । ଦାନ୍ତ ନ ଥିବା ତିମିମାନେ ମାଢ଼ିଦ୍ୱାରା ଯେ କୌଣସି କଙ୍କଡ଼ା ବା ମାଛଙ୍କୁ ଧରି ଖାଇଯାଆନ୍ତି । ସେମାନଙ୍କର ଜିଭ ମଧ୍ୟ ଖୁବ୍‌ ବଡ଼ ଓ ଶକ୍ତ ।

 

ଦାନ୍ତଥିବା ତିମିଙ୍କର ଗାଲ ବଡ଼ ଦିଶେ । ସେମାନଙ୍କର ଦାନ୍ତର ଲମ୍ୱ ପ୍ରାୟ ଏକ ଫୁଟ ଦଶ ଇଞ୍ଚରୁ ବେଶୀ । କେତେକ ତିମିଙ୍କର ଦୁଇମାଢ଼ିରେ ଓ ଆଉ କେତେକଙ୍କର ଗାଈପରି ଗୋଟିଏ ମାଢ଼ିରେ ଦାନ୍ତଥାଏ । ଦାନ୍ତଥିବା ବଡ଼ ତିମିସବୁ ପେଙ୍ଗୁଇନ୍‌ ଜାତିର ପକ୍ଷୀଙ୍କୁ ସମୁଦ୍ରକୂଳରୁ ଧରି ଖାଇଯାଆନ୍ତି ।

 

ନୀଳ ତିମି ଆକାରରେ ଯଥେଷ୍ଟ ବଡ଼ । ଥରେ ଶହେ ଛଅଫୁଟ ଲମ୍ୱର ଏକ ନୀଳ ତିମି ଧରାଯାଇଥିଲା । ଆହୁରି ଥରେ ଗୋଟିଏ ତିମି ପେଟରୁ ଦୁଇଶହ ପଚାଶ ସେର ଓଜନର ‘ଆମ୍ୱର ଗ୍ରୀସ୍‌’ ନାମକ ଏକ ପଦାର୍ଥ ବାହାରି ଥିଲା । ଅତର ସହିତ ଆମ୍ୱର ଗ୍ରୀସ୍‌ ପଦାର୍ଥକୁ ମିଶାଇ ଦେଲେ ଅତରର ସୁଗନ୍ଧ ଚଞ୍ଚଳ ଚଞ୍ଚଳ ଉଡ଼ିଯାଏ ନାହିଁ । ବେପାରୀମାନେ ରୋଗୀଣା ତିମିମାଛ ପେଟରୁ ଏହି ଜିନିଷ ସଂଗ୍ରହ କରିବାକୁ ସବୁବେଳେ ଚେଷ୍ଟା କରନ୍ତି ।

 

ପ୍ରାୟ ଶହେବର୍ଷ ଆଗେ ତିମିଶିକାର ଏକ ବିଶେଷ ଲାଭଜନକ ବ୍ୟବସାୟ ଥିଲା । ତାହା ଦେହର ତେଲକୁ ଲୋକେ ଜାଳୁଥିଲେ । ମାତ୍ର ଆଜିକାଲି କିରାସିନି, ପେଟ୍ରୋଲ୍‌ ଓ ବିଜୁଳି ଆଲୁଅ ସେହି ସ୍ଥାନକୁ ଅଧିକାର କରିଛି ।

 

ପୂର୍ବେ ଲୋକେ ଡଙ୍ଗାରେ ଯାଇ ତିମିମାନଙ୍କୁ ଶିକାର କରୁଥିଲେ । ଯେତେବେଳେ ସେମାନେ ଜଳଫୁକାର କରନ୍ତି, ସେତେବେଳେ ଶିକାରୀମାନେ ନିକଟରେ ପହଞ୍ଚି, ବର୍ଚ୍ଛାଦ୍ୱାରା ମାରିଦିଅନ୍ତି । ତା’ପରେ ମଲାତିମିକୁ ଦଉଡ଼ିମାନଙ୍କରେ ବାନ୍ଧି କୂଳକୁ ଘେନି ଆସନ୍ତି । ବେଳେବେଳେ ଆହତ ତିମି ଶିକାରୀକୁ ଆକ୍ରମଣ କରେ ।

 

ଆଜିକାଲି ଶିକାରୀମାନେ ଦୂରରେ ଥାଇ, ବନ୍ଧୁକଦ୍ୱାରା ତିମିମାନଙ୍କୁ ଶିକାର କରୁଛନ୍ତି । ତେଣୁ କୌଣସି ଦୁର୍ଘଟଣାର ଆଶଙ୍କା ରହୁ ନାହିଁ ।

Image

 

ପଶୁ ଜଗତର ରାଜା

 

ଥରେ ଆମ ଭାରତର ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘‘ଆମ୍ଭମାନଙ୍କୁ ଈଶ୍ୱରଙ୍କ ସୁନ୍ଦର ବଳୁଆ ସିଂହଦଳଙ୍କୁ ରକ୍ଷା କରିବାକୁ ହେବ ।’’

 

ସରକାର ପ୍ରଥମେ ୧୯୫୨ ମସିହାରେ ‘ବନ୍ୟ ଜୀବନ ସଂରକ୍ଷଣ ବୋର୍ଡ଼’ ଗଠନ କରିଥିଲେ । ସେହି ବୋର୍ଡ଼ଙ୍କର ପରାମର୍ଶ ଅନୁଯାୟୀ ବନ୍ୟଜନ୍ତୁଙ୍କର ବଂଶ ରକ୍ଷାକରିବାକୁ ଉଦ୍ୟମ କରାଯାଉଛି ।

 

ସିଂହକୁ ପଶୁରାଜ କହନ୍ତି । ତାହାପରି ଚତୁର, ସାହସୀ, ନିର୍ଭୀକ, ବଳବାନ ଓ ସୁନ୍ଦର ଜୀବନ ପ୍ରାୟ ପୃଥିବାରେ ଦେଖାଯାଆନ୍ତି ନାହିଁ । ସେ ତାହାର ସଦ୍‌ଗୁଣ ଯୋଗୁଁ ପଶୁରାଜ ବୋଲାଉଛି ।

 

ସାଞ୍ଚିରେ ଥିବା ଅଶୋକ ସ୍ତମ୍ଭରେ ଯେଉଁ ଧର୍ମଚକ୍ର ରହିଛି, ତହିଁରେ ସିଂହମୂର୍ତ୍ତି ଅଛି । ଭାରତବାସୀ ତାକୁ ରାଷ୍ଟ୍ରପ୍ରତୀକ ରୂପେ ଗ୍ରହଣ କରିଛନ୍ତି, କାରଣ ପ୍ରତ୍ୟେକ ଭାରତୀୟ ସିଂହପରି ସାହସୀ, ଚତୁର, ନିର୍ଭୀକ ଓ ବଳବାନ୍‌ ହେବେ ବୋଲି ଆଶା କରାଯାଏ । ଦୁଃଖ ବିପଦକୁ ନ ମାନି ସିଂହପରି ଆଗକୁ ମାଡ଼ି ଚାଲିବାକୁ ହେବ । ସିଂହ ପରି ନିର୍ଭୀକ ଚିତ୍ତରେ ସମ୍ମୁଖ ସଂଗ୍ରାମକୁ ଡେଇଁ ପଡ଼ିବାକୁ ହେବ ଏବଂ ଦରକାର ପଡ଼ିଲେ ଆନନ୍ଦରେ ଜୀବନ ଦେବାକୁ ପ୍ରସ୍ତୁତ ହେବା ଉଚିତ ।

 

ସିଂହ ଭୟଙ୍କର ହେଲେବି ଅତି ସୁନ୍ଦର ଦିଶେ । ତାହାର ବସିବାଠାଣି, ଚାଲିଚଳଣ, ଖିଆପିଆ, ପ୍ରତ୍ୟେକ କାର୍ଯ୍ୟରେ ବିଶେଷତ୍ୱ ରହିଛି ।

 

ସାଧାରଣତଃ ସିଂହର ଲମ୍ୱ ଦଶଫୁଟ ଏବଂ ଉଚ୍ଚତା ତିନିଫୁଟ ଥାଏ । କେତେକ ସିଂହ ବାର ଫୁଟରୁ ଅଧିକ ଲମ୍ୱ ଦେଖାଯାନ୍ତି । ଗୋଟିଏ ବୟସ୍କ ସିଂହର ଓଜନ ଦୁଇ ଶହରୁ ତିନିଶହ ସେର । ସିଂହୀଠାରୁ ସିଂହ ଉଚ୍ଚତାରେ ବଡ଼ ଏବଂ ଓଜନରେ ଅଧିକ । ସିଂହ ଅପେକ୍ଷା ସିଂହୀ ଭୋକିଲା ଅବସ୍ଥାରେ ମହାଆତଙ୍କ ସୃଷ୍ଟି କରେ । ସିଂହୀର ଶଟା ନାହିଁ; କିନ୍ତୁ ସିଂହର ଶଟାଥିବାରୁ ସେ ଅତି ଭୟଙ୍କର ଦିଶେ । ବାଘ ମଣିଷ ଓ ଜୀବଜନ୍ତୁଙ୍କୁ ଭୀରୁପରି ପଛରୁ ଶିକାର କରେ । ମାତ୍ର ସିଂହ ସମ୍ମୁଖରୁ ଆକ୍ରମଣ କରିବାକୁ ବିଶେଷ ଆନନ୍ଦ ପାଏ । ସେ ତାହାର ଟାଣ ପଞ୍ଝାରେ ଜୀବଜନ୍ତୁମାନଙ୍କୁ ଧରେ । କୌଣସି ଜୀବ ତାହାଠାରୁ ଖସି ପଳାଇ ପାରନ୍ତି ନାହିଁ ।

 

ସିଂହ ଯାହା ଶିକାର କରେ, ତାକୁ ଏକା ଥରକେ ଖାଇବାକୁ ଚେଷ୍ଟା କରେ । ବାଘପରି ଥରକୁଥର ପଚା ସଢ଼ା ମାଂସ ଖାଇବାରେ ତାର ଆଦୌ ଆଗ୍ରହ ନ ଥାଏ । ବଣର କୌଣସି ଜୀବ ତା’ ଦୃଷ୍ଟିରେ ପଡ଼ିଲେ ସେ ଗର୍ଜନ କରି ତା ନିକଟକୁ ଦୌଡ଼ିଯାଏ ଏବଂ ଡେଇଁପଡ଼ି ତାକୁ ଧରେ । ସେ ତାହାର ଉପସ୍ଥିତି ଗର୍ଜନଦ୍ୱାରା ଜଣାଇ ଦିଏ । ସିଂହପରି ସାହସୀ ଜୀବ କ୍ୱଚିତ୍‌ ଦେଖାଯାଆନ୍ତି-

 

ସିଂହ ଲାଙ୍ଗୁଳଟି ପ୍ରାୟ ତିନି ଫୁଟ ଲମ୍ୱ । ସେହି ଲାଙ୍ଗୁଳର ଅଗ୍ରଭାଗରେ ଯେଉଁ ଅଳ୍ପ କଳା କେଶଥାଏ, ତାହା ଚମତ୍କାର ଦିଶେ । ସିଂହଛୁଆକୁ ପାଞ୍ଚ କିମ୍ୱା ଛଅବର୍ଷ ହେଲେ ତାହାର କାନ୍ଧର ସମୁଦାୟ କେଶଗୁଡ଼ିକ ଉଠିଆସେ । ସାଧାରଣତଃ ସିଂହ ପ୍ରାୟ ପନ୍ଦର କି ଷୋଳ ବର୍ଷ ବଞ୍ଚେ । ମାତ୍ର କୌଣସି କୌଣସି ସିଂହ ତିରିଶ ବର୍ଷ ବଞ୍ଚିବାର ଦେଖାଯାଇଛି । ସିଂହର ଚକ୍ଷୁ ଦୁଇଟି ତେଜୀୟାନ ଅଗ୍ନି ପିଣ୍ଡୁଳାପରି ଦିଶେ । ସେ ରାତିରେ ସ୍ପଷ୍ଟ ରୂପେ ଦେଖିପାରେ ।

 

ସିଂହର ଦେହସାରା ଲମ୍ୱକେଶ ଥିବାରୁ ତହିଁରେ ଉକୁଣୀ, କୀଟ ପ୍ରଭୃତି ନିଶ୍ଚିନ୍ତରେ ବାସ କରନ୍ତି ।

 

ସିଂହୀ ଛୁଆମାନଙ୍କର ଲାଳନ ପାଳନ ଦାୟିତ୍ୱ ବହନ କରେ । ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାବେଳେ ସେ ତାର ଛୁଆକୁ ପାଟିରେ କାମୁଡ଼ି ଘେନି ଯାଏ ।

 

ଆଫ୍ରିକା ମହାଦେଶରେ ଥିବା ସାହାରା ମରୁଭୂମିର ଦକ୍ଷିଣ ଅଞ୍ଚଳରେ ଓ ଭାରତରେ କୋତୋଟି ସିଂହ ଦେଖାଯାନ୍ତି । ଶହେ ବର୍ଷ ଆଗେ ମାସିଡ଼ୋନିଆ, ମେସୋପୋଟେମିଆ ଓ ପେରୁରେ ଅନେକ ସିଂହ ଥିଲେ; କିନ୍ତୁ ବର୍ତ୍ତମାନ ସେଠାରେ ସେମାନଙ୍କର ବଂଶ ପ୍ରାୟ ଲୋପ ପାଇଗଲାଣି ।

 

ବଡ ଦୁଃଖର କଥା ଯେ, ଭାରତରେ ଯେତେ ହାତୀ ଅଛନ୍ତି, ତାହାର କୋଡ଼ିଏ ଭାଗରୁ ଏକଭାଗ ସୁଦ୍ଧା ସିଂହ ନାହାନ୍ତି ।

Image

 

ବିରାଟ ଗରିଲା

 

ଲଣ୍ଡନ ଗୋଟିଏ ବୃହତ୍‌ ସହର । ଏହା ଇଂଲଣ୍ଡ ଦେଶରେ ଅବସ୍ଥିତ । ଥରେ ଉକ୍ତ ସହରର ଜଣେ ଭଦ୍ରମହିଳା ଗୋଟିଏ ଗରିଲାଛୁଆ ପୋଷିଥିଲେ । ସେହି ଗରିଲାଛୁଆ ବାଲ୍ୟାବସ୍ଥାରୁ ଜଙ୍ଗଲରୁ ଧରା ହୋଇ ଆସିଥିଲା । ସେ ତାହାର ନାମ ଜନ୍‌ ଡାନିଏଲ୍‌ ଦେଇଥିଲେ । ଜନ୍‌ ଡାନିଏଲ୍‌କୁ ସେ ଅତି ଯତ୍ନରେ ପାଳୁଥିବାରୁ ସେ ତାଙ୍କ ଘରର ଜଣେ ଲୋକ ହୋଇ ମହାଆନନ୍ଦରେ ଚଳୁଥିଲା । ସେ ତାହାପାଇଁ ସ୍ୱତନ୍ତ୍ର ଘରଟିଏ ତୋଳି ଦେଇଥିଲେ ଏବଂ ଶୋଇବାଲାଗି ଉତ୍ତମ ବ୍ୟବସ୍ଥା କରିଥିଲେ । ସେ ନିର୍ଦ୍ଦିଷ୍ଟ ସମୟରେ ଖାଏ ଏବଂ ଶୁଏ ।

 

ପ୍ରତିଦିନ ପ୍ରାତଃକାଳରୁ ଜନ୍‌ ଡାନିଏଲ୍‌ ପ୍ରଥମେ ଶେଯରୁ ଉଠି ସମସ୍ତଙ୍କ ଶୋଇବାଘର କବାଟକୁ ବାଡ଼ାଏ । ତଦ୍ଦ୍ୱାରା ସେ ଜଣାଇ ଦିଏ, ‘ଉଠ’ ଦିନହେଲା, ଶୋଉଛ ଆଉ କାହିଁକି ?

 

ଖାଇବା ସମୟ ଉପସ୍ଥିତ ହେଲେ ତାକୁ କେହି ଧରି ଆଣିବାକୁ ଯାଏ ନାହିଁ । ସେ ଆପେ ଆପେ ଖାଇବା ଟେବୁଲ ନିକଟରେ ପହଞ୍ଚି, ସେଠାରେ ତା’ ପାଇଁ ଯେଉଁସବୁ ଫଳମୂଳ ଦିଆଯାଏ, ସେଗୁଡ଼ିକୁ ସେ ପରମ ଆନନ୍ଦରେ ଖାଏ । ଏହାଛଡ଼ା ତାକୁ ଦେଢ଼ସେର କ୍ଷୀର ଓ ଦଶପଟ ରୁଟି ମଧ୍ୟ ଦିଆଯାଏ ।

 

ସେ ମଣିଷପରି ଦୁଇ ହାତରେ ସେଗୁଡ଼ିକୁ ଖାଇଦିଏ । ବେଳେବେଳେ ସେ ମନକୁ ମନ ଖୁବ୍‌ ହସେ । କେହି ତା’ କାଖକୁ କୁତୁ କୁତୁ କଲେ ସେ ଠୋ-ଠୋ ହସି ଗଡ଼ିଯାଏ । କୌଣସି ଭୟପାଇଲେ ସେ ଆଦୌ ଲୁଚେନାହିଁ; ବରଂ ଗର୍ଜନ କରି ଏଣେ ତେଣେ ଡେଇଁ ବୁଲେ ।

 

ସମସ୍ତଙ୍କ କାନ୍ଧରେ ବସିବାକୁ ତାହାର ବିଶେଷ ଆଗ୍ରହଥାଏ । ଲଣ୍ଡନର ସେହି ଭଦ୍ରମହିଳା ଜଣକ ଜନ୍‌ ବିଷୟରେ ଅନେକ କୌତୁକପୂର୍ଣ୍ଣ କଥା ଲେଖିଛନ୍ତି, ସେଥିରୁ ଦିନକର ଘଟଣାର ସାରମର୍ମ ନିମ୍ନରେ ଦିଆଗଲା ।

 

‘‘ଦିନେ ମୁଁ କୌଣସି ଏକ ଭୋଜିରେ ଯୋଗ ଦେବାକୁ ଯାଉଥାଏ । ମୁଁ ଘରଛାଡ଼ି ଯେତେବେଳେ ଯେଉଁଆଡ଼େ ଯାଏ, ଜନ୍‌ ମୋ ଆଗେ ଆଗେ ସେଠାକୁ ବାହାରେ; ତେଣୁ ମୁଁ ବାଧ୍ୟ ହୋଇ ତାକୁ ସବୁ ସ୍ଥାନକୁ ନିଏ । ସାଙ୍ଗରେ ନ ନେଲେ ସେ ପିଲାଙ୍କପରି ଏତେ ଅଳିକରେ ଯେ, ମୁଁ ତାକୁ ନେବାକୁ ବାଧ୍ୟ ହୁଏ । ସେ ମୋ ସାଙ୍ଗରେ କିଛିଦୂର ଗୋଡ଼ାଇ ଗୋଡ଼ାଇ ଯାଏ; ଅବଶିଷ୍ଟ ବାଟ ମୁଁ ତାକୁ କାନ୍ଧରେ ବସାଇନିଏ ।’’

 

‘‘ସେହିଦିନ ବନ୍ଧୁଙ୍କ ଭୋଜିରେ ଯୋଗଦେବାକୁ ହେବ ବୋଲି ମୁଁ ମୋର ଅତି ମୂଲ୍ୟବାନ ଶିଲ୍‌କି ପୋଷାକ ପରିଧାନ କଲି ।

 

‘‘ମୋର ସ୍ୱାମୀ ଓ ଭଉଣୀ ମୋ ସହିତ ଯିବେ ବୋଲି ସ୍ଥିର କଲେ । ଆମ୍ଭେମାନେ ପୋଷାକପତ୍ର ବାହାର କରିବାକୁ ଉଦ୍ୟତ ହେଉଥିବା ବେଳେ ଜନ୍‌ ଧାଇଁଆସି ମୋ ଗୋଡ଼କୁ ଧରି ଠିଆ ହେଲା । ସ୍ୱାମୀ ମୋତେ କହିଲେ, ‘‘ତାକୁ ସାଙ୍ଗରେ ନିଅ ନାହିଁ । କାନ୍ଧରେ ବସାଇନେଲେ ତୁମର ସୁନ୍ଦର ପୋଷାକଟି ନିଶ୍ଚୟ ନଷ୍ଟ ହୋଇଯିବ ।’’

 

ସ୍ୱାମୀଙ୍କର ଏହି ଉପଦେଶକୁ ସେହି ଭଦ୍ରମହିଳା ଠିକ୍‌ ବୋଲି ମନେକଲେ । ତେଣୁ ସେ ଜନ୍‌କୁ ସଙ୍କେତ ଦ୍ୱାରା ଜଣାଇଲେ, ‘‘ତୋତେ ମୋ କାନ୍ଧରେ ବସାଇଲେ ମୋ ପୋଷାକ ନିଶ୍ଚୟ ନଷ୍ଟ ହୋଇଯିବ ।’’

 

ବଡ଼ ଆଶ୍ଚର୍ଯ୍ୟକଥା ଯେ, ଜନ୍‌ ସେହି ସଙ୍କେତର ମୂଲ୍ୟ ମନୁଷ୍ୟ ପରି ଠିକ୍‌ ବୁଝିପାରିଲା-। ସେ ଭଦ୍ର ମହିଳାଙ୍କ ଗୋଡ଼ ଛାଡ଼ିଦେଇ ସେଠାରୁ ପଳାଇ ଆସିଲା । ବୈଠକଖାନାର ଟେବୁଲ ଉପରେ ଖଣ୍ଡିଏ ଖବର କାଗଜ ପଡ଼ିଥିଲା । ସେ ଟେବୁଲ ଉପରକୁ ଡେଇଁପଡ଼ି ଖବର କାଗଜ ଖଣ୍ଡିକ ଘେନି ଆସିଲା ଏବଂ ଭଦ୍ର-ମହିଳାଙ୍କ କାନ୍ଧ ଉପରକୁ ଉଠିଯାଇ ପ୍ରଥମେ କାଗଜ ଖଣ୍ଡିକ ମେଲାଇ ଦେଲା । ତା’ପରେ ସେ ତାଙ୍କ ଉପରେ ବସି ଚାରିଆଡ଼କୁ ଟିକିଏ ନିରୀକ୍ଷଣ କଲା-

 

ଏହି ଘଟଣାରୁ ଗରିଲାର ସରସ ବୁଦ୍ଧି ସହଜରେ ଜାଣିହେଉ ନାହିଁକି ?

 

ଗରିଲା, ସିମ୍ପାଞ୍ଜି, ଓରାଂଓଟାଂ ଓ ଗିବନ୍‍—ଏହି ଚାରିଜାତିର ଜୀବଜନ୍ତୁଙ୍କୁ ‘ବଣମଣିଷ’ କୁହାଯାଏ । ମାତ୍ର ଏମାନଙ୍କ ମଧ୍ୟରେ ଗରିଲା ସର୍ବାପେକ୍ଷା ବୃହତ୍‌ ଏବଂ ଅତିଶୟ ଭୟଙ୍କର । ତାହାର ବଳ ଯଥେଷ୍ଟ ବେଶୀ ।

 

ଆଫ୍ରିକା ମହାଦେଶର ନିବିଡ଼ ଅରଣ୍ୟ ମଧ୍ୟରେ ଗରିଲା ବାସକରେ । ପଶ୍ଚିମ ଆଫ୍ରିକାର ଦୁର୍ଗମ ଜଙ୍ଗଲ ମଧ୍ୟରେ ଯେଉଁଠି ରବିକିରଣ କେବେହେଲେ ଭୂତଳ ସ୍ପର୍ଶ କରେ ନାହିଁ, ସେଠାରେ ଗରିଲା ମହା ଆନନ୍ଦରେ ବିଚରଣ କରେ ।

 

ଗରିଲାବଂଶ କେତେ କାଳ ହେଲା ପୃଥିବୀରେ ଦେଖାଦେଇଛି, ସେ ସମ୍ୱନ୍ଧରେ ନାନାମତ ପ୍ରକାଶ ପାଏ । କେହି କେହି କହନ୍ତି ଯେ ଖ୍ରୀଷ୍ଟପୂର୍ବ ୪୫୦ ରେ ‘ଗରିଲା’ ଶବ୍ଦ ଆଫ୍ରିକା ମହାଦେଶରେ ବ୍ୟବହୃତ ହେଉଥିଲା । ମାତ୍ର ଅନ୍ୟମାନେ ଏଭଳି ଯୁକ୍ତିକୁ ଭିତ୍ତିହୀନ ବୋଲି କହନ୍ତି । ତେବେ ସେ ଯାହାହେଉ; ଗତ ତିନିଶହ ବର୍ଷ ହେଲା ଯେ ଲୋକେ ଗରିଲାକୁ ପ୍ରତ୍ୟକ୍ଷରେ ଦେଖି ଆସିଛନ୍ତି, ଏ କଥା ସମ୍ପୂର୍ଣ୍ଣ ସତ୍ୟ ।

 

ଥରେ ପାଶ୍ଚତ୍ୟ ଦେଶରେ ଗୋଟିଏ ପୁରୁଷ ଗରିଲା ଧରା ହେଲା । ତାହାର ଉଚ୍ଚତା ଚାରି ହାତ ଏବଂ ଓଜନ ପାଞ୍ଚମହଣ ଥିଲା । ସାଧାରଣତଃ ସ୍ତ୍ରୀ ଗରିଲା ପୁରୁଷ ଗରିଲା ଅପେକ୍ଷା ଓଜନ ଓ ଉଚ୍ଚତାରେ ଊଣା ଥାଏ ।

 

ଗରିଲାର ପଛଗୋଡ଼ ଦୁଇଟି ଛୋଟ ଓ ଆଗଗୋଡ଼ ଦୁଇଟି ବଡ଼ । ସେ ଆଗ ଗୋଡ଼ଦୁଇଟିକୁ ହାତରୂପେ ବ୍ୟବହାର କରେ । ସେହି ହାତରେ ସେ ପ୍ରାୟ ସମସ୍ତ କାର୍ଯ୍ୟ କରେ । ବାଘପରି ଗରିଲା ଚାରି ଗୋଡ଼ରେ ଚାଲେ ଏବଂ ବେଳେବେଳେ ସେ ଦୁଇ ଗୋଡ଼ରେ ଚାଲିବାର ଦେଖାଯାଏ । ସେ ଠିଆହେବା ସମୟରେ ତାହାର ଦୁଇ ହାତ ତଳକୁ ଝୁଲେ ।

 

ସାଧାରଣତଃ ପଶୁଙ୍କର ଲାଙ୍ଗୁଳ ଥାଏ; କିନ୍ତୁ ବିଚିତ୍ର କଥା ଯେ, ଗରିଲାର ଲାଙ୍ଗୁଳ ନାହିଁ-। ସେ ମନୁଷ୍ୟପରି ବସେ । ତାହାଠାରେ ମନୁଷ୍ୟର ଗଠନ, ଢଙ୍ଗ ଓ ଗୁଣରେ କେତେକ ସାମଞ୍ଜସ୍ୟ ରହିଛି । ତେଣୁ ଲୋକେ ଗରିଲାକୁ ‘ବଣମଣିଷ’ କହନ୍ତି । ସେ ବଡ଼ କ୍ରୋଧୀ, କିନ୍ତୁ ସବୁବେଳେ ସେ କ୍ରୋଧ ପ୍ରକାଶ କରେ ନାହିଁ । କୌଣସି ବିପଦର ସମ୍ମୁଖୀନ ହେଲେ ସେ ଖୁବ୍‌ ରାଗେ ଏବଂ ତହିଁରୁ ରକ୍ଷାପାଇବାଲାଗି ଉପାୟ ଖୋଜେ । ସାଧାରଣ ଅବସ୍ଥାରେ ସେ କାହାରି କ୍ଷତି କରେ ନାହିଁ । ଗରିଲା ରାଗରେ ଜର୍ଜରିତ ହେଲେ ସେ ତାହାର ଦୁଇହାତକୁ ନିଜ ଛାତିରେ ପିଟେ ଏବଂ ତା ଆଖିରୁ ଲୁହଧାର ଝରିପଡ଼େ ।

 

ଗରିଲାମାନେ ଦଳବଦ୍ଧ ହୋଇ ବିଚରଣ କରନ୍ତି । ପ୍ରତ୍ୟେକ ଦଳରେ ପ୍ରାୟ ପଚାଶଗୋଟି ଗରିଲା ଥାଆନ୍ତି । ଗୋଟିଏ ଦଳରେ କେତୋଟି ଉପଦଳ ଥାଆନ୍ତି । ସେହି ଉପଦଳ ବା ଛୋଟ ଗରିଲାଦଳରେ ଗୋଟିଏ ପୁରୁଷ ଗରିଲା, ଗୋଟିଏ ସ୍ତ୍ରୀ ଗରିଲା ଓ ସେମାନଙ୍କର କେତୋଟି ଛୁଆ ଥାଆନ୍ତି ।

 

ଗରିଲାଦଳ ଘୋର ଜଙ୍ଗଲର ଏକସ୍ଥାନରେ ସର୍ବଦା ରହିବାକୁ ସୁଖପାଆନ୍ତି ନାହିଁ । ଖାଦ୍ୟ ଅନ୍ୱେଷଣ କରିବା ନିମନ୍ତେ ସେମାନେ ଠା ଠା ଯାଆନ୍ତି । ରାତ୍ରିରେ ସେମାନେ ଗଛମାନଙ୍କରେ ଆଶ୍ରୟ ନିଅନ୍ତି । ସ୍ତ୍ରୀ ଗରିଲା ଗଛର ଅଗ୍ରଭାଗରେ ଡାଳମାନଙ୍କୁ ଛନ୍ଦି ପିଲାଙ୍କସହ ନିଦ୍ରା ଯାଏ, ମାତ୍ର ପୁରୁଷ ଗରିଲା ଗଛମୂଳେ ଡାଳପତ୍ର ପାରି ବିଛଣା ତିଆରି କରେ ଏବଂ ତହିଁରେ ଖୁବ୍‌ ଆରାମରେ ବସି ପିଲାଙ୍କୁ ଜଗି ରହେ ।

 

ଗରିଲାମାନେ ଗୋଟିଏ ଗଛରୁ ଅନ୍ୟ ଗୋଟିଏ ଗଛକୁ ଡେଇଁ ବୁଲନ୍ତି । ଦରକାର ନ ପଡ଼ିଲେ ସେମାନେ କଦାପି ଭୂଇଁକୁ ଆସନ୍ତି ନାହିଁ ।

 

ଥରେ ‘ଗେନା’ ନାମକ ଏକ ଗରିଲାକୁ ୧୮୭୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନ ସହରକୁ ଅଣାଯିବାର ବ୍ୟବସ୍ଥା ହେଲା । ଲଣ୍ଡନକୁ ପ୍ରଥମଥର ପାଇଁ ସେହି ଗରିଲାଟି ଆସୁଥିବାରୁ ଶହଶହ ଦର୍ଶକ ରେଳଷ୍ଟେସନରେ ରୁଣ୍ଢ ହେଲେ । ସମସ୍ତେ ଉଦ୍‌ବିଗ୍ନ ହୋଇ ରେଳଗାଡ଼ିକୁ ଅପେକ୍ଷା କରି ଠିଆହୋଇ ଥାଆନ୍ତି । ଯାହା ହେଉ କିଛି ବିଳମ୍ୱରେ ରେଳଗାଡ଼ି ଦମ୍‌ଦମ୍‌ ହୋଇ ଆସି ଷ୍ଟେସନରେ ପହଞ୍ଚିଲା । ଦର୍ଶକମାନେ ତ ଗରିଲା ଦେଖିବାକୁ ଉତ୍କଣ୍ଠିତ ହେଉଥିଲେ । ସମସ୍ତେ ଏକ ନିଶ୍ୱାସରେ ରେଳଡ଼ବା ନିକଟକୁ ଧାଇଁଲେ । ରେଳଡ଼ବା ମଧ୍ୟରୁ ଗୋଟିଏ ଜନ୍ତା ତଳକୁ ଅଣାଗଲା । ଦର୍ଶକମାନଙ୍କ ଅନୁରୋଧରେ ‘ଗେନା’ର ଜନ୍ତାଟିକୁ ଖୋଲି ଦିଆଗଲା । ‘ଗେନା’ ମଣିଷପରି ମୁଣ୍ଡଟେକି ଗୋଟିଏ ଆଡ଼କୁ ଚାହିଁଲା । ତାହା ଦେଖି ଲୋକେ ବିସ୍ମିତ ହୋଇଗଲେ । ସମସ୍ତେ ଭାବିଲେ, ‘‘କି ଅଦ୍ଭୁତ ଜୀବ ଏ ! ଠିକ୍‌ ମଣିଷପରି ତ ମଣିଷଟାଏ !’’

 

ଗରିଲା ସମ୍ୱନ୍ଧରେ ଅନ୍ୟ ଏକ କଥା ଶୁଣ ।

 

ଥରେ ଦୁଇଜଣ ବନ୍ଧୁ ଶିକାର କରିବା ନିମନ୍ତେ ଆଫ୍ରିକାର ଘୋର ଅରଣ୍ୟ ମଧ୍ୟରେ ପ୍ରବେଶ କଲେ । ସେହି ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣକର ନାମ ଜନ୍‌ । ସେ ଇଂରେଜ ଲୋକ । ଆଉ ଜଣକର ନାମ ଡିନ୍‌ । ସେ ଆଫ୍ରିକାର ନିଗ୍ରୋ । ଡିନ୍‌ ଓ ଜନ୍‌ଙ୍କ ମଧ୍ୟର ଗଭୀର ବନ୍ଧୁତା ଥିଲା । ସାହେବ ଡିନ୍‌କୁ ଅତିଶୟ ସ୍ନେହ ଓ ଶ୍ରଦ୍ଧା କରୁଥିଲେ । ଡିନ୍‌ ମଧ୍ୟ ସେହିପରି ସାହେବଙ୍କୁ ନାନା ବିପଦରୁ ଉଦ୍ଧାର କରିଥିଲେ ।

 

ସେମାନେ ଅରଣ୍ୟ ମଧ୍ୟରେ ଭ୍ରମଣ କରୁଥିବା ବେଳେ ହଠାତ୍‌ ଏକ ଗର୍ଜନ ଶୁଣିବାକୁ ପାଇଲେ । ସେହି ଗର୍ଜନରେ ସାହେବ ଭୀତତ୍ରସ୍ତ ହୋଇ ଡିନ୍‌କୁ କୁଣ୍ଢାଇ ପକାଇଲେ । ଡିନ୍‌ ତାଙ୍କୁ କହିଲା, ଆପଣ ଡରୁଛନ୍ତି କାହିଁକି ? ସେଇଟା ପରା ‘ସୁକୁ’ । ଗରିଲାକୁ ଆଫ୍ରିକାବାସୀସବୁ ସୁକୁ କହନ୍ତି ।

 

ବନ୍ଧୁଦ୍ୱୟ ଗୋଟିଏ ଗଛମୂଳେ ଲୁଚି ରହି ଦେଖିଲାବେଳକୁ ଦୁଇଗୋଟି ଅଦ୍ଭୁତ ଜୀବ ପରସ୍ପର ମଧ୍ୟରେ ଭୀଷଣ ମାଡ଼ଗୋଳ ଲଗାଇଥିଲେ । ଡିନ୍‌ ସାହେବଙ୍କ କାନରେ କହିଲା, ‘ଏ ଗରିଲା ଯୁଦ୍ଧ’ । ସମ୍ଭବତଃ ଏମାନେ ବିଭିନ୍ନ ଦଳର ଦଳପତି । ଦୀର୍ଘକାଳ ସେମାନେ ଯୁଦ୍ଧରେ ବ୍ୟାପୃତ ହେଲେ । ଜଣେ ଅନ୍ୟ ଜଣକୁ ବାରମ୍ୱାର ଚାପୁଡ଼ା ମାରୁଥାଏ; ପରିଶେଷରେ ଗୋଟିଏ ଗରିଲା ଯୁଦ୍ଧରେ ହାରି ଅନ୍ୟତ୍ର ପଳାଇ ଯିବାରୁ ବିଜୟୀ ଗରିଲା ଆନନ୍ଦରେ ଏଣେତେଣେ ଖୁବ୍‌ ଡେଇଁଲା ଏବଂ ପୁଣି କେଉଁଆଡ଼େ ଚାଲିଗଲା ।

 

ତାହାପରେ ଡିନ୍‌ ଓ ଜନ୍‌ ବୃକ୍ଷମୂଳରୁ ବାହାରି ସେମାନଙ୍କ ତମ୍ୱୁ ନିକଟକୁ ଫେରି ଆସିବା ବାଟରେ ପୁଣି ଏକ ଶବ୍ଦ ଶୁଣିବାକୁ ପାଇଲେ । ସେହି ଶବ୍ଦରୁ ମନେ ହେଉଥିଲା ସତେ ଯେପରି କେହି ଜଣେ ବାଳକ ଅସହାୟ ଅବସ୍ଥାରେ ପଡ଼ି କାନ୍ଦୁଛି । ଦୁହେଁଯାକ ଶବ୍ଦକୁ ଲକ୍ଷ୍ୟ କରି ସେହି ଦିଗକୁ ଅଗ୍ରସର ହେଲେ ଏବଂ ଗୋଟିଏ ଗରିଲା ଛୁଆକୁ ଭେଟିଲେ । ଡିନ୍‌ ସେହି ଛୁଆଟିକୁ ଧରିଲା-। ଜନ୍‌ ପାଖରେ ଥିବା କିଛି ଔଷଧ କାଢ଼ି ତାହାର କ୍ଷତ ସ୍ଥାନରେ ଲଗାଇଦେଲା । ତତ୍‌ପରେ କିଛି ଗୁଣ୍ଡଦୁଧ ଖାଇବାକୁ ଦେଇ ତାକୁ ଗେଲ କଲା ।

 

ସେମାନେ ଆନନ୍ଦରେ ଗରିଲା ଛୁଆଟିକୁ ସାଙ୍ଗରେ ନେଇ ନଈ କୂଳ ତମ୍ୱୁ ନିକଟରେ ପହଞ୍ଚିଲେ । ସେତେବେଳକୁ ରାତି ହୋଇ ଆସିଥାଏ । ସେମାନେ ତାହାର ଶୋଇବା ବ୍ୟବସ୍ଥା କରି ଅନ୍ୟ ତମ୍ୱୁକୁ ଶୋଇବାକୁ ଚାଲିଗଲେ । ରାତି ପାହିଲା । ସେମାନେ ତମ୍ୱୁ ଦୁଆର ଖୋଲି ଦେଖିଲାବେଳେ ଗୋଟିଏ ବିରାଟ ଗରିଲା ତମ୍ୱୁ ନିକଟରେ ବସିଛି । ଜନ୍‌ ସାହେବ ହଠାତ୍‌ ଏଭଳି ଦୃଶ୍ୟ ଦେଖି ଭୟରେ ଥରିଗଲେ । କିନ୍ତୁ ଡିନ୍‌ ଖୁବ୍‌ ସାହସରେ ବନ୍ଧୁକଧରି ତମ୍ୱୁ ବାହାରକୁ ଆସିଲେ-। ତାକୁ ଦେଖି ଗରିଲାଟା ଭୟରେ ସେଠାରୁ ଅଳ୍ପ ଦୂରକୁ ଚାଲିଯାଇ ପୁଣି ବସିଲା । ଡିନ୍‌ ଗରିଲା ଛୁଆକୁ ଅଟକାଇ ରଖିବାକୁ ଉଚିତ ମନେ କଲା ନାହିଁ । ସେହିକ୍ଷଣି ସେ ତାକୁ ଛାଡ଼ିଦେଲା । ବଡ଼ ଗରିଲା ଏଇ ଛୁଆକୁ କୋଳରେ ଧରି ବାରମ୍ୱାର ଚୁମ୍ୱନ ଦେଲା । ତା’ପରେ ସେହି ଛୁଆଟି ଆପେ ଡିନ୍‌ ପାଖକୁ ଫେରି ଆସିଲା । ଏହିପରି ସେ ଅନେକଥର ଦୁହିଁଙ୍କ ନିକଟକୁ ଯିବାଆସିବା କଲା ।

 

ଶେଷକୁ ସନ୍ଧ୍ୟା ହୋଇଯିବାରୁ ବଡ଼ ଗରିଲା ଛୁଆଟିକୁ ନେଇ କେଉଁଆଡ଼େ ପଳାଇଲା । ଡିନ୍‌ ଓ ଜନ୍‌ ଗରିଲା ଛୁଆକୁ ହରାଇ ଖୁବ୍‌ ବ୍ୟସ୍ତ ହେଲେ ଏବଂ ତାହାରି ଅପେକ୍ଷାରେ ପୁଣି ଦିନେ ସେହି ନଈ କୂଳରେ ରହିଲେ ।

 

ସେଦିନ ରାତିରେ ଦୁଇବନ୍ଧୁ ଭିନ୍ନ ଭିନ୍ନ ଖଟରେ ତମ୍ୱୁଭିତରେ ଶୋଇଥାନ୍ତି । ରାତିରେ ହଠାତ୍‌ ଜନ୍‌ଙ୍କର ନିଦ ଭାଙ୍ଗିଗଲା । ସେ ଉଠିଲାବେଳକୁ ତମ୍ୱୁର ଏକ ଅଂଶ ଚିରି ନଷ୍ଟହୋଇ ଯାଇଥାଏ ଏବଂ ଡିନ୍‌ ତା’ ଖଟରେ ଆଉ ନ ଥାଏ । ଏହା ଦେଖି ସାହେବ ଖୁବ୍‌ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଏହାର କାରଣ କଣ ସେ ଆଦୌ ସ୍ଥିର କରିପାରିଲେ ନାହିଁ ।

 

ରାତି ପାହିବାପରେ ଜନ୍‌ସାହେବ ଡିନ୍‌କୁ ଖୋଜିବାକୁ ବାହାରିଲେ । ସେ ତାକୁ କୌଣସିଠାରେ ନ ପାଇ ନିରାଶ ହୃଦୟରେ ସ୍ୱ-ତମ୍ୱୁକୁ ଫେରିଆସି ଦେଖନ୍ତି ଯେ ଡିନ୍‌ ମଉଜରେ ଚୌକି ଉପରେ ବସିଛି । ସାହେବ ଆନନ୍ଦରେ ତାକୁ କୁଣ୍ଢାଇ ପକାଇ ଅନୁପସ୍ଥିତିର କାରଣ ପଚାରିଲେ । ଡିନ୍‌ କହିଲା, ‘‘ଭାଇ ରାତିରେ ମୁଁ କିପରି ଏ ତମ୍ୱୁରୁ ଗଲି, ସେ କଥା ଆଦୌ ଜାଣେ ନାହିଁ । କିନ୍ତୁ ନିଦ୍ରା ଭାଙ୍ଗିଲାବେଳେ ମୋର ଦେହ-ମୁଣ୍ଡ ବରଡ଼ା ପତ୍ରପରି ଥରୁଥାଏ । ତା’ ପରେ ସମ୍ଭବତଃ ଅଚେତନ ହୋଇ ପଡ଼ିଲି । କେତେକାଳ ସେପରି ଅବସ୍ଥାରେ ଥିଲି ଜାଣେ ନାହିଁ କିନ୍ତୁ ମୋର ବର୍ତ୍ତମାନ ସ୍ମରଣ ହେଉଛି, ବୋଧହୁଏ କେତେଟା ଗରିଲା ମୋତେ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ସେଠାରେ ଅନେକ ସୁମିଷ୍ଟ ଫଳ ଖାଇବାକୁ ଦେଇଥିଲେ । ମୁଁ ସେଗୁଡ଼ିକୁ ବାଧ୍ୟହୋଇ ଖାଇଥିଲି । ଆମର ଏଇ ତମ୍ୱୁରେ ଥିବା ଗରିଲା ଛୁଆଟିକୁ ମୁଁ ସେତିକି ବେଳେ ସେଠାରେ ଲକ୍ଷ୍ୟ କରିଥିଲି; ସେ ମୋ ପାଖକୁ ଖୁବ୍‌ ଆନନ୍ଦରେ ଆସୁଥିଲା । ଯେଉଁ ବଡ଼ ଗରିଲାଟା ତାକୁ ଏଠୁ ଘେନି ଯାଇଥିଲା, ସେ ତାହାର ମାଆ ବୋଲି ମୁଁ ସ୍ପଷ୍ଟ ରୂପେ ଜାଣି ପାରିଥିଲି । ସେଠାରେ କିଛି ସମୟ କଟାଇବା ପରେ ମୁଁ ତମ୍ୱୁକୁ ଫେରି ଆସିବି ବୋଲି ସଙ୍କେତ ଦେଲି । ସେମାନେ ମୋ ମନକଥା ମଣିଷପରି ବୁଝି ପାରିଲେ ଏବଂ ମୋତେ ଛାଡ଼ି ଦେବାକୁ କିଛି ଦୂର ଆସିଲେ । ତା’ ପରେ ମୁଁ ନିର୍ବିଘ୍ନରେ ଏଠାକୁ ଆସିଲି । ସେମାନେ ମୋର କ୍ଷତି କରିବା ପରିବର୍ତ୍ତେ କାହିଁକି ଯେ ସତ୍କାର କଲେ, ତାହାର କାରଣ ମୁଁ ଜାଣି ପାରୁନାହିଁ ।’’ ଏସବୁ ଘଟଣା ଶୁଣିବା ପରେ ଜନ୍‌ ସାହେବ ସେଠାରେ ଆହୁରି ଅଧିକ ଦିନ ରହିବାକୁ ନିରାପଦ ମନେ ନ କରି ଡିନ୍‌ ସହିତ ସେହିଦିନ ସେଠାରୁ ପଳାୟନ କଲେ ।

Image

 

ପ୍ରଜାପତି

 

ପିଲାଏ, ତୁମ୍ଭେମାନେ ପ୍ରତିଦିନ ନାନା ଜାତିର ପ୍ରଜାପତି ଉଡ଼ୁଥିବାର ଦେଖ । ଯେଉଁଠି ଫୁଲ ଫୁଟିଥାଏ, ପ୍ରଜାପତି କେଉଁଆଡ଼ୁ ଉଡ଼ିଆସି ତହିଁରେ ବସେ । ଫୁଲ ରେଣୁରୁ ସେ ମହୁ ସଂଗ୍ରହ କରେ । ସେହି ମହୁ ତାହାର ଖାଦ୍ୟ ।

 

ପୃଥିବୀରେ ନାନା ଜାତିର ପ୍ରଜାପତି ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ଦିନରେ ଓ ଆଉ କେତେକେ ରାତିରେ ଉଡ଼ି ଖାଦ୍ୟ ସଂଗ୍ରହ କରନ୍ତି । ଏହି ଦୁଇ ଶ୍ରେଣୀର ପ୍ରଜାତିଙ୍କୁ ଚିହ୍ନିବା ଅବଶ୍ୟ କଷ୍ଟ । ଯେଉଁମାନେ ସେମାନଙ୍କ ବିଷୟରେ ସର୍ବଦା ଗବେଷଣା କରୁଛନ୍ତି, ସେମାନେ ଅବଶ୍ୟ ଚିହ୍ନି ପାରିବେ ।

 

ଲୋକେ ଭାବନ୍ତି ପ୍ରଜାପତିର ଆୟୁ ଯଥେଷ୍ଟ ଅଳ୍ପ । ସେମାନେ ଯେଉଁଠି ଜନ୍ମଗ୍ରହଣ କରନ୍ତି, ତାହାରି ନିକଟବର୍ତ୍ତୀ ଅଞ୍ଚଳରେ ମରନ୍ତି । ବହୁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ନାହିଁ । ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ପ୍ରାଣିତତ୍ତ୍ୱବିତ୍‌ମାନେ କହନ୍ତି ଯେ, କେତେକ ପ୍ରଜାପତି ଜନ୍ମ ସ୍ଥାନରୁ ଶହ ଶହ ମାଇଲ ଦୂରକୁ ଉଡ଼ିଯାଇ ସେଠାରେ ଡିମ୍ୱ ଦିଅନ୍ତି ।

 

ପ୍ରଜାପତିମାନେ ବେଳେବେଳେ ଏକୁଟିଆ ବୁଲନ୍ତି; କିନ୍ତୁ ଅଧିକାଂଶ ସମୟରେ ଦଳବଦ୍ଧ ହୋଇ ଦୂରସ୍ଥାନକୁ ଯାଆନ୍ତି । ଗୋଟିଏ ଗୋଟିଏ ଦଳରେ ପ୍ରାୟ ଶହେ କୋଟି ପ୍ରଜାପତି ଥାଆନ୍ତି । ସେମାନେ ଭୂମିଠାରୁ ତିନିଶହ ଫୁଟ ଆକାଶରେ ଉଡ଼ି ଉଡ଼ି ଯାଆନ୍ତି । ଦିନେ କିମ୍ୱା ଦୁଇ ଦିନରେ ସେମାନେ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଯାଇ ପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ କିଛିଦିନ ସମୟ ଲାଗେ ।

 

‘ଡାନାୟସ୍‌ ପ୍ଳେକ୍‌ସିପସ୍‌’ ଏକ ପ୍ରକାର ପ୍ରଜାପତି । ସେମାନେ ଉତ୍ତର ଆମେରିକାରେ ଥିବା ‘କେପ୍‌ଭାଡି’ ନାମକ ଏକ ଦ୍ୱୀପରେ ବାସ କରନ୍ତି । ସେହି ଦ୍ୱୀପରେ ବହୁ କାଳରୁ ଏଇ ଜାତିର ପ୍ରଜାପତି ବାସ କରୁଥିବାର ଦେଖାଯାଏ । ସେମାନେ ଖାଦ୍ୟ ଅନ୍ୱେଷଣ ଉଦ୍ଦେଶ୍ୟରେ ବହୁ ଦୂର ସ୍ଥାନକୁ ଉଡ଼ିଯାଆନ୍ତି । ପଣ୍ଡିତମାନେ ପ୍ରମାଣ ପାଇଛନ୍ତି ଯେ, ଆଟଲାଣ୍ଟିକ ମହାସାଗରରେ ଥିବା ‘ମେଡ଼ିରିୟା’ ଦ୍ୱୀପକୁ ସେମାନେ ବହୁ ସଂଖ୍ୟାରେ ଆସନ୍ତି ।

 

ଥରେ ୧୯୨୪ ଖ୍ରୀଷ୍ଟାବ୍ଦରେ ଆକାଶର ବହୁ ଉଚ୍ଚରେ କ’ଣଗୁଡ଼ାଏ ଉଡ଼ୁଥିବାର ଦେଖାଗଲା । ମିଷ୍ଟର ମ୍ୟାକ୍‌ ପ୍ରିଗଭ୍‌ ତାହା ଆବିଷ୍କାର କରିବାକୁ ଆଗ୍ରହାନ୍ୱିତ ହୋଇ ତାଙ୍କ ଘରେ ଥିବା ଦୂରବୀକ୍ଷଣ ଯନ୍ତ୍ରଟି ଆଣିଲେ ଏବଂ ତହିଁରେ ଆକାଶକୁ ଅନାଇଲେ । ସେ ଦେଖିଲେ ଯେ ଉଡ଼ୁଥିବା ଜୀବଗୁଡ଼ିକ ପ୍ରଜାପତିଦଳ । ସେମାନେ ଆକାଶ ବକ୍ଷରେ ଦୀର୍ଘ ଚାଳିଶ ମାଇଲ ପର୍ଯ୍ୟନ୍ତ ଲମ୍ୱି ଯାଇଥିଲେ । ଘଣ୍ଟାରେ ପ୍ରାୟ ଛଅମାଇଲ ବେଗରେ ସେମାନେ ଆକାଶରେ ଉଡ଼ି ଯାଉଥିଲେ । ସେମାନେ ଦିନେ ନୁହେଁ, ତିନିଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିଥିଲେ । ସେହି ଦୃଶ୍ୟ କିପରି ହୋଇଥିବ, ତାହା ତୁମେ କଳ୍ପନା କରି ପାରୁଛ କି ?

 

ଉତ୍ତର ଆମେରିକାରେ ଆହୁରି ଏକ ଜାତିର ପ୍ରଜାପତି ଦେଖାଯାଆନ୍ତି । ସେମାନଙ୍କୁ ‘ପର୍ଯ୍ୟଟକ ପ୍ରଜାପତି’ କୁହାଯାଏ ।

 

ଥରେ ଜଣେ ଭ୍ରମଣକାରୀ ମୋଟର ଗାଡ଼ିରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରୁଥିଲେ । ତାଙ୍କରି ଯିବା ବାଟରେ ଅସଂଖ୍ୟ ପ୍ରଜାପତି ଆକାଶରେ ଏଣେତେଣେ ଉଡ଼ୁଥିଲେ । ଜୀବନରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ସେ କେବେ ସୁଯୋଗ ପାଇ ନ ଥିଲେ । ତେଣୁ ସେ ଅତି ଆଗ୍ରହରେ ମୋଟର ଗାଡ଼ିକୁ ଅଟକାଇଲେ ଏବଂ ଯନ୍ତ୍ର ଦ୍ୱାରା ଆକାଶକୁ ଚାହିଁ ସ୍ଥିରକଲେ ଯେ, ପ୍ରଜାପତି ଦଳ ଭୂପୃଷ୍ଠରୁ ସାଢ଼େ ବୟାଅଶୀଶହ ଫୁଟ ଉଚ୍ଚରେ ଉଡ଼ି ଯାଉଛନ୍ତି । ଏହିଦୃଶ୍ୟ ତାଙ୍କ ପ୍ରାଣରେ ନାନାଭାବ ସୃଷ୍ଟି କରିଗଲା ।

 

ଏସିଆ ମହାଦେଶର ବିଭିନ୍ନ ସ୍ଥାନରେ ପ୍ରଜାପତିଦଳ ଦେଖାଯାଆନ୍ତି । ସିଂହଳକୁ ପ୍ରାୟ ଷାଠିଏ ପ୍ରକାର ପ୍ରଜାପତି ଦଳ ଆସନ୍ତି । ସେମାନେ ବର୍ଷକୁ ଦୁଇଥର ଆସନ୍ତି ବୋଲି ଜୀବତତ୍ୱବିଦ୍‌ମାନେ ମତ ଦିଅନ୍ତି ।

 

ଦକ୍ଷିଣ ଭାରତ ବର୍ଷରେ ପ୍ରଜାପତିଦଳ ପ୍ରାୟ ଆଠହଜାର ଫୁଟ ଉଚ୍ଚରେ ଉଡ଼ୁଥିବାର ଲକ୍ଷ୍ୟ କରାଯାଇଛି ।

 

ଅନ୍ୟାନ୍ୟ ପ୍ରାଣୀଙ୍କପରି ପ୍ରଜାପତିଙ୍କର ଏକାଧିକ ଶତ୍ରୁ ଅଛନ୍ତି । ସେମାନେ ଯେଉଁ ଅଣ୍ଡା ଦିଅନ୍ତି, ସେଥିରୁ କୀଟଙ୍କ ଦ୍ୱାରା କେତେଗୁଡ଼ିଏ ନଷ୍ଟ ହୋଇଯାଏ । ପୁଣି ଗ୍ରୀଷ୍ମ କାଳର ଅତ୍ୟଧିକ ଉତ୍ତାପ କିମ୍ୱା ଶୀତଦିନର ଅସହଣୀୟ ଶୈତ୍ୟ ଶିଶୁ ପ୍ରଜାପତି ମାନଙ୍କର ମୃତ୍ୟୁର ପ୍ରଧାନ କାରଣ ହୁଏ ।

 

ପ୍ରଜାପତିଙ୍କୁ ବିକାକିଣା କରିବାଲାଗି ଲଣ୍ଡନ ସହରରେ ବହୁ ଦୋକାନ ଅଛି । ସେଠାରେ ସୁଲଭ ମୂଲ୍ୟରେ ନାନା ଜାତିର ପ୍ରଜାପତି ମିଳନ୍ତି ।

 

କିଛିଦିନ ଆଗେ ଜଣେ ପ୍ରାଣୀତତ୍ୱବିତ୍‌ ପ୍ରଜାପତିଙ୍କ ବିଷୟରେ କେତେକ ନୂଆ ତଥ୍ୟ ଜଗତବାସୀଙ୍କୁ ଜଣାଇଥିଲେ । ତାଙ୍କ ନାମ ଅଷ୍ଟିନ୍‌ ଏଚ୍‌ କ୍ଳାର୍କ । ତାଙ୍କର ମତ ଯେ, ପ୍ରଜାପତିମାନେ ଅତି ନୀରିହ । ସେମାନଙ୍କର ହିଂସାପ୍ରକୃତି ନାହିଁ । ପୁରୁଷ ପ୍ରଜାପତିଗୁଡ଼ିକ ଟିକିଏ ଦୁଷ୍ଟ ଓ ହିଂସ୍ର । କିନ୍ତୁ ସ୍ତ୍ରୀ ପ୍ରଜାପତିମାନଙ୍କଠାରେ ଏଭଳି ଗୁଣ ଆଦୌ ଦେଖାଯାଏ ନାହିଁ । ପ୍ରଜାପତିମାନେ ପରସ୍ପରକୁ ଆକ୍ରମଣ କରନ୍ତି । ଏହା ସେମାନଙ୍କର ପ୍ରକୃତିଗତ କାର୍ଯ୍ୟଛଡ଼ା ଆଉ କଣ ହୋଇପାରେ-?

Image

 

ଖଳ ସର୍ପ

 

ଭାଗବତରେ ଜଗନ୍ନାଥ ଦାଶ ଲେଖିଛନ୍ତି :—

 

‘ସର୍ପରେ ଜାତକଲୁ ମୋତେ,

ପ୍ରକୃତି ଛାଡ଼ିବି କେମନ୍ତେ ! ’

 

ସାପ ତାହାର ଖଳପ୍ରକୃତି କେତେବେଳେ ହେଲେ ଛାଡ଼େ ନାହି । ତାକୁ ଦୁଧ ପିଆଇ ପୋଷିଲେ ସୁଦ୍ଧା ସେ ବିଷ ବାନ୍ତି କରେ । ଏ ବିଷୟରେ ଗୋଟିଏ ସୁନ୍ଦର କାହାଣୀ ଅଛି । ଶୁଣ ।

 

ପୂର୍ବେ କାଶୀରେ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କ ପୁତ୍ରଙ୍କ ନାମ ବୋଧିସତ୍ୱ । ସେ ଆଜୀବନ ବ୍ରହ୍ମଚାରୀ ହୋଇ ନିବିଡ଼ ଅରଣ୍ୟରେ ଯୋଗ ସାଧନା କରୁଥିଲେ । ସିଦ୍ଧିଲାଭ ପରେ ସେ ଗୋଟିଏ ଆଶ୍ରମ ତୋଳି ତହିଁରେ ବାସ କଲେ । କ୍ରମେ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପିଗଲା । ବିଭିନ୍ନ ଦେଶରୁ ସାଧୁମାନେ ଆସି ତାଙ୍କର ଶିଷ୍ୟ ହେଲେ ଓ ସେ ରହୁଥିବା ଆଶ୍ରମରେ ବାସକଲେ ।

 

ଥରେ ଗୋଟିଏ ସର୍ପ ସେହି ଆଶ୍ରମରେ ଆସି ପହଞ୍ଚିଲା । ତାକୁ ଦେଖି ସନ୍ୟାସୀମାନେ ମାରିବାକୁ ଇଚ୍ଛାକଲେ । ମାତ୍ର ଜଣେ ସନ୍ୟାସୀ ଦୁଃଖିତ ହୋଇ କହିଲେ, ‘‘ଭାଇମାନେ, ସର୍ପ ତ ଆମ୍ଭମାନଙ୍କର କୌଣସି ଅନିଷ୍ଟ କରିନାହିଁ; ତାକୁ ହିଂସା କରି ମାରିବା କାହିଁକି ? ’’

 

ସମସ୍ତେ ଏହା ଶୁଣି ତାଙ୍କୁ ଖୁବ୍‌ ଉପହାସ କଲେ । ମାତ୍ର ସେହି ସନ୍ନ୍ୟାସୀ ସର୍ପଟିର ଦୁର୍ଦ୍ଦଶା ଦେଖି ତାକୁ ଧରିଲେ ଏବଂ ଗୋଟିଏ ବାଉଁଶ ନଳରେ ରଖି ପୋଷିଲେ । ସେହି ଦିନଠାରୁ ଅନ୍ୟ ସନ୍ନ୍ୟାସୀମାନେ ତାଙ୍କୁ ବେଲୁ କପିତା ବୋଲି ଡାକିଲେ ।

ଗୁରୁ, ବୋଧିସତ୍ୱ ଏ ସମ୍ୱାଦ ଶୁଣି ବେଲୁକ ପିତାଙ୍କୁ ପାଖକୁ ଡାକି ପଚାରିଲେ, ‘‘ବତ୍ସ ! ମୁଁ ଶୁଣୁଅଛି, ତୁମେ ଗୋଟିଏ ସର୍ପଶିଶୁ ପାଳିଅଛ; ଏହା କଣ ସତ୍ୟ ?’’

ସନ୍ୟାସୀ ଉତ୍ତର ଦେଲେ, ‘‘ହଁ ଆଜ୍ଞା, ତାହା ସତ୍ୟ’’ ।

ବୋଧିସତ୍ୱ କହିଲେ, ‘‘ବତ୍ସ ! ମନେରଖ, ଖଳ ପ୍ରକୃତିର ଜୀବକୁ କଦାପି ବିଶ୍ୱାସ କରିବ ନାହିଁ । ଯେ ଦୁଷ୍ଟ, ଯେ ହିଂସ୍ର, ତାକୁ ସର୍ବଦା ପାଖରୁ ଦୂର କରିବା ଉଚିତ । ସର୍ପ ଏହି ଖଳ ଶ୍ରେଣୀର ଅନ୍ତର୍ଗତ । ତାକୁ ସ୍ନେହ ଆଦର କରୁଛ କାହିଁକି ?’’

ଗୁରୁଙ୍କ ଉପଦେଶକୁ ଅମାନ୍ୟ କରି ବେଲୁକପିତା ସେହି ସର୍ପ ଶିଶୁଟିକୁ ଆଗ୍ରହରେ ପାଳିଲେ । ସର୍ପଟି ଖାଇ ପିଇ କ୍ରମଶଃ ବଡ଼ ହେବାକୁ ଲାଗିଲା ।

ଥରେ ସେ ସନ୍ୟାସୀ ତୀର୍ଥ ଯାତ୍ରାରେ ବାହାରିଗଲେ । ସେ ପୂର୍ବରୁ ସର୍ପର ଖିଆପିଆ ବ୍ୟବସ୍ଥା କିଛି କରି ନ ଥିଲେ । ଦୁଇଦିନ ପରେ ତୀର୍ଥଯାତ୍ରାରୁ ଫେରି ସନ୍ୟାସୀ ସର୍ପର ଖିଆପିଆ କଥା ବୁଝିବାକୁ ଗଲେ । ସେ ବାଉଁଶ ନଳଟିକୁ ଖୋଲି ଦେଲେ । ସର୍ପ କ୍ଷୁଧାରେ ରାଗିଯାଇ, ଫଁ, ଫଁ ଗର୍ଜନ କରି, ସନ୍ୟାସୀଙ୍କୁ ସେହିକ୍ଷଣି କାମୁଡ଼ି ଦେଲା । ସାପ କାମୁଡ଼ାରେ ସନ୍ୟାସୀଙ୍କର ମୃତ୍ୟୁ ଘଟିଲା ।

ଯେଉଁ ସର୍ପ ଏଭଳି ଖଳ, ତାକୁ ଜଗତରେ ନ ଡରୁଛି କିଏ ?

 

ଜଳ ଓ ସ୍ଥଳଭାଗରେ ଅନେକ ପ୍ରକାରର ସର୍ପ ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷାକ୍ତ ।

 

ସର୍ପ ଦେହର ଉପର ଅଂଶ ଚିକ୍‌କଣ; କିନ୍ତୁ ତଳଅଂଶ ବନ୍ଧୁର । କାତି ହିଁ ଏହାର ଏକମାତ୍ର କାରଣ । ସର୍ପ ଗତି କରୁଥିବା ବେଳେ ତାହାର ମେରୁଦଣ୍ଡ ସଂକୁଚିତ ଓ ପ୍ରସାରିତ ହୁଏ । ସେ ପଛେଇ ପଛେଇ ଯାଇପାରେ ନାହିଁ । ବକ୍ର ଗତିରେ ଢେଉ ଭଳି ଯିବା ଆସିବା କରେ ।

 

କାନ ନ ଥାଇ ବି ସର୍ପ ଆଖି ଦ୍ୱାରା ଶୁଣିପାରେ ବୋଲି ଲୋକେ କହନ୍ତି । ତେଣୁ ଏହାର ଅନ୍ୟ ନାମ ଚକ୍ଷୁଶ୍ରବା । ପ୍ରକୃତରେ ସର୍ପର ଶ୍ରବଣ ଶକ୍ତି ଅଛି କି ନାହିଁ, ତାହା ଜାଣିବା ନିମନ୍ତେ ନିମ୍ନଲିଖିତ ଉଦାହରଣଟିରୁ ବେଶ୍‌ ବୁଝିହେବ ।

 

ଥରେ, କର୍ଣ୍ଣେଲ ଏଫ୍‌, ଓ୍ୟାଲ ନାମକ ଜଣେ ଲୋକ ଗୋଟିଏ ଗୋଖର ସାପର ଦୁଇ ଆଖିକୁ କାଗଜ ଓ ଅଠାଦ୍ୱାରା ବନ୍ଦକଲେ । ତାହାପରେ ସେ ତାଙ୍କ ବସିବା ଚୌକିଟିକୁ ଅଳ୍ପ ଦୂରକୁ ଘୋଷାରି ନେଉଥିବା ବେଳେ ସର୍ପ ଫଁ ଫଁ ଗର୍ଜି ଫଣା ଟେକିଲା ଏବଂ ପଳାଇଯିବାକୁ ଉଦ୍ୟମ କଲା-। ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ସର୍ପର ଶ୍ରବଣ ଶକ୍ତି ଯଥେଷ୍ଟ ବେଶି ।

 

ଗ୍ରାମମାନଙ୍କରେ କେଳା ତୁମ୍ୱା ବଜାଇ ମଧୁର କଣ୍ଠରେ ଗୀତ ବୋଲେ । ସର୍ପ ତାହା ଶୁଣି ଫଣାଟେକି ଭୂଇଁରୁ ଉଠେ ଏବଂ ଏକ ଲୟରେ କେଳାଆଡ଼କୁ ଚାହିଁ ରହେ ।

 

ସର୍ପ ଭୟ ପାଇବା ମାତ୍ରେ ଫଁ ଫଁ ଗର୍ଜି ଉଠେ ଏବଂ ଦେହର ଏକ ଚତୁର୍ଥାଂଶ ଉପରକୁ ଟେକି କାମୁଡ଼ିବାକୁ ପ୍ରସ୍ତୁତ ହୁଏ ।

 

ସର୍ପର ଜିଭ ଶୁଣିବା କାର୍ଯ୍ୟରେ ବିଶେଷ ସାହାଯ୍ୟ କରେ । କେହି ଭୂଇଁକୁ ଆଘାତ କଲେ ସେ ତାହା ଚଞ୍ଚଳ ଜାଣିପାରେ । ଅନ୍ଧାର ରାତିରେ ତାଳିମାରି ଯିବା ଆସିବା କରିବା ଅପେକ୍ଷା ଭୂଇଁକୁ ଠକ୍‌ ଠକ୍‌ କରିବା ବିଶେଷ ନିରାପଦ ।

 

ଆଖି ବୁଜିବାଲାଗି ସର୍ପର ପତା ନାହିଁ । ସେ ଜଳଜଳ ଆଖିରେ ସବୁବେଳେ ଚାହିଁଥାଏ-। ତାହାର ତୀକ୍ଷ୍ଣ ଦୃଷ୍ଟିଶକ୍ତି ଥିବାରୁ ସେ ସାତ ଆଠ ଫୁଟ ଦୂର ଜିନିଷକୁ ଭଲରୂପେ ଦେଖି ଜାଣିପାରେ । ସେ କେଳାର ଗୀତକୁ ଶୁଣିବା ଅପେକ୍ଷା ତାହାର ଅଙ୍ଗଭଙ୍ଗୀକୁ ବିଶେଷ ଲକ୍ଷ୍ୟ କରେ-

 

ସର୍ପର ଦୁଇଟି ବିଷାକ୍ତ ଦାନ୍ତ ଅଛି । କେତେକ ସର୍ପଙ୍କର ତିନିଯୋଡ଼ା କିମ୍ୱା ଦୁଇଯୋଡ଼ା ବିଷଦାନ୍ତ ଥାଏ । ଏକଯୋଡ଼ା ବିଷଦାନ୍ତ ନଷ୍ଟ ହୋଇଗଲେ, ଅନ୍ୟ ଦାନ୍ତ ଦ୍ୱାରା ସେ କାର୍ଯ୍ୟ ଚଳାଏ-। ସର୍ପ ମୁଣ୍ଡର ଠିକ୍‌ ଦୁଇ ପାଖରେ ଦୁଇଟି ବିଷଗ୍ରନ୍ଥି ଅଛି । ସେହି ଗ୍ରନ୍ଥିରେ ବିଷ ତିଆରି ହୁଏ-। ବିଷର ବର୍ଣ୍ଣ ହଳଦିଆ । ସର୍ପ ଫଁ ଫଁ ଗର୍ଜି କାମୁଡ଼ିବାକୁ ଯିବାବେଳେ ବିଷ ଗ୍ରନ୍ଥିରୁ ଆପେ ଆପେ ବିଷ ବାହାରି ଦାନ୍ତମୂଳ ବାଟେ ପଦାକୁ ଆସେ ।

 

ସର୍ପର ଯେଉଁ ଜିଭ ରହିଛି, ତାହାର ଅଗ୍ରଭାଗ ଦୁଇଅଂଶରେ ବିଭକ୍ତ । ସେ ଜିଭକୁ ଲହଲହ କରି ପବନ ଗ୍ରହଣ କରେ ।

 

ସର୍ପ ଖୁବ୍‌ ସାବଧାନରେ ଶିକାର କରେ । କିପରି, କେଉଁଠି ଛକି ରହିଲେ ଆହାର ମିଳିବ, ତାହାର ବିଚାର ସେ କରେ । ବେଙ୍ଗ ଓ ମୂଷା ତାହାର ଖାଦ୍ୟ । ସେମାନଙ୍କୁ ଚୋଟମାରି ସେ ଖାଏ ନାହିଁ । ଛୋଟ ଜୀବମାନେ ତାହାଠାରୁ ସହଜରେ ପଳାଇ-ଯାଇପାରନ୍ତି ନାହିଁ । ସେମାନଙ୍କୁ ପଛରୁ ଗୋଡ଼ାଇ ଧରିବାକୁ ସେ ଆନନ୍ଦ ପାଏ ।

 

ବୃହତ୍‌ ସର୍ପଗୁଡ଼ିକ ଲାଙ୍ଗୁଳରେ ଜୀବମାନଙ୍କୁ ଗୁଡ଼ାଇ ଚିପି ଦିଅନ୍ତି । ତେଣୁ ସେମାନେ ସହଜରେ ନିଃଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ଦରମରା ହୋଇ ପଡ଼ନ୍ତି । ସେହି ସୁଯୋଗରେ ସର୍ପମାନେ ସେମାନଙ୍କ ଦେହରୁ ବନ୍ଧନ ଫିଟାଇ, ତାଙ୍କୁ ଗିଳିବାକୁ ଚେଷ୍ଟା କରନ୍ତି ।

 

ବହୁ ସମୟରେ ସର୍ପ ଖାଇ ସାରିବା ପରେ ଗଛର ଗଣ୍ଡିରେ ଗୁଡ଼ାଇ ହୁଏ । ସେପରି କରିବାଦ୍ୱାରା ତାର ଖାଦ୍ୟ ସହଜରେ ଜୀର୍ଣ୍ଣ ହୋଇଯାଏ । ବିଷ ତାହା ଖାଦ୍ୟର ପାଚକ ରସ ରୂପେ କାର୍ଯ୍ୟକରେ ।

 

ଶୀତଦିନେ ରାସ୍ତାଘାଟମାନଙ୍କରେ ସର୍ପ ପ୍ରାୟ ଦେଖାଯାଏ ନାହିଁ । ତାହା ଦେହର ଉତ୍ତାପ ମନୁଷ୍ୟ ଦେହର ଉତ୍ତାପଠାରୁ ଊଣା । ସମ୍ଭବତଃ ସେହି କାରଣରୁ ସେ ଶୀତଦିନେ ପଦାକୁ ବାହାରେ ନାହିଁ । କେତେକ ସର୍ପ ଡିମ୍ୱ ଦିଅନ୍ତି ଓ ଆଉ କେତେକ ସର୍ପ ଛୁଆ ପ୍ରସବ କରନ୍ତି । ବୋଡ଼ା ଶ୍ରେଣୀୟ ସାପମାନେ ଛୁଆ ପ୍ରସବ କରନ୍ତି ।

 

ଗ୍ରୀଷ୍ମଋତୁରେ ମାଈସାପ ଡିମ୍ୱ ଦିଏ । ଡିମ୍ୱଗୁଡ଼ିକ ସେ ଉଷୁମ କରେ । ଖରାଦିନର ଉତ୍ତାପରେ ଡିମ୍ୱଗୁଡ଼ିକ ଉଷୁମ ହୋଇ ତହିଁରୁ ଛୁଆ ବାହାରନ୍ତି । ଗ୍ରୀଷ୍ମ ଦେଶମାନଙ୍କରେ ଶୀତଦିନରେ ସର୍ପ ଡିମ୍ୱରୁ ଛୁଆ ସୃଷ୍ଟି ହେବାକୁ ପ୍ରାୟ ଦୁଇମାସରୁ ଅଧିକ ସମୟ ଲାଗେ ।

 

ଛୁଆ ପ୍ରସବକାରିଣୀ ସର୍ପ ଥରକେ ତିରିଶ କିମ୍ୱା ଚାଳିଶଟି ଛୁଆ ପ୍ରସବ କରେ । ସେଥିମଧ୍ୟରୁ ଅଧିକାଂଶ ବଞ୍ଚନ୍ତି । ଅଜଗର ସର୍ପ ଥରକେ ପ୍ରାୟ ଶହେଟି ଛୁଆ ପ୍ରସବ କରେ । ସେଗୁଡ଼ିକ ଆପେ ଆପେ ଚରି ବୁଲି ଖାଦ୍ୟ ସଂଗ୍ରହ କରନ୍ତି ।

 

ଲାଉଡ଼ଙ୍କିଆ ସର୍ପ ସରୁ ଓ ତାର ବର୍ଣ୍ଣ ଶାଗୁଆ । ସେ ସବୁଜଗଛ ଲତାରେ ଏପରି ଲୁଚିରହେ ଯେ ଶତ୍ରୁ ତାକୁ ସହଜରେ ଦେଖି ପାରେନାହିଁ ।

 

ଇଟାଲୀ ଦେଶରେ କୋକୁଲା ନାମକ ଏକ ଗ୍ରାମ ଅଛି । ସେହି ଗ୍ରାମରେ ବହୁତ ସର୍ପ ଦେଖାଯାଆନ୍ତି । ସେମାନେ ପ୍ରାୟ ବିଷଶୂନ୍ୟ । ସେ ଦେଶର ପ୍ରଚଳିତ ପ୍ରଥା ଅନୁଯାୟୀ ଲୋକେ ବର୍ଷକେ ଥରେ ଜୀଅନ୍ତା ସର୍ପକୁ ବେକରେ ଗୁଡ଼ାଇ ଶୋଭା ଯାତ୍ରାରେ ବାହାରନ୍ତି ।

 

ଆମ ଦେଶରେ ଏକ ସ୍ୱତନ୍ତ୍ର ଡାକ ଟିକଟରେ ସର୍ପର ଛବି ଦେଖାଯାଏ । ତା’ କେଉଁ ଉଦ୍ଦେଶ୍ୟରେ ମୁଦ୍ରିତ ହୋଇଥିଲା ଜାଣକି ?

Image

 

କୁତ୍ସିତ ଜୀବ

 

ଆଫ୍ରିକା ମହାଦେଶରେ ଏକପ୍ରକାର କୁତ୍ସିତ ଜୀବ ଦେଖାଯାଆନ୍ତି । ସେମାନଙ୍କୁ ଇଂରେଜୀରେ ‘ହିପୋପୋଟାମସ୍‌’ କହନ୍ତି । ପୃଥିବୀରେ ଅନ୍ୟ କୌଣସି ଦେଶରେ ଏଭଳି ଜୀବ ପ୍ରାୟ ଦେଖାଯାଆନ୍ତି ନାହିଁ ।

 

ଆଫ୍ରିକାରେ ଅରେଞ୍ଜ ନାମକ ଏକ ନଦୀ ଅଛି । ସେହି ନଦୀ ଜଳରେ ସେମାନେ ବାସ କରନ୍ତି । ୧୬୫୬ ଖ୍ରୀଷ୍ଟାବ୍ଦରୁ ଏହି ଜୀବର ସନ୍ଧାନ ମିଳିଅଛି ।

 

ହିପୋପୋଟାମସ୍‌ମାନେ ଦଳବାନ୍ଧି ଏକତ୍ର ବାସ କରନ୍ତି । ଗୋଟିଏ ଦଳରେ ଊଣା ଅଧିକେ କୋଡ଼ିଏ କିମ୍ୱା ପଚିଶଟି ଜୀବ ଥାଆନ୍ତି । ଥରେ ଇଂଲଣ୍ଡ ଦେଶର କୌଣସି ଏକ ଚିଡ଼ିଆଖାନାରେ ବାରଫୁଟ ଲମ୍ୱର ହିପୋପୋଟାମସ୍‌ ଥିଲା । ତାହାର ଓଜନ ଅନ୍ୟୁନ ୧୦୮ ମହଣ ଥିଲା ।

 

ଏହି ଜୀବଟି ଆକାରରେ କ୍ଷୁଦ୍ର । କିନ୍ତୁ ଏହାର ମୁଖ କଦାକାର ଏବଂ ଅତି ଭୟଙ୍କର ଦିଶେ । ଏହାର ପାଟି ଭିତରେ ଅଳ୍ପ କେତୋଟି ଦାନ୍ତ ଥାଏ । ସେହି ଦାନ୍ତଗୁଡ଼ିକ ମୋଟା ଏବଂ ଶକ୍ତ-। ଉପର ଓଠରେ ଥିବା ଦାନ୍ତଗୁଡ଼ିକ ପଦାକୁ ବାହାରିଥାଏ । ସେ ପାଣିରେ ଦଶବାର ମିନିଟ୍‌ ବୁଡ଼ି ରହି ଉପରକୁ ଉଠେ ଏବଂ ନିଃଶ୍ୱାସ ନିଏ । ସେତିକିବେଳେ ତାର ଆଖି, କାନ ଓ ଦାନ୍ତଗୁଡ଼ିକ ସ୍ପଷ୍ଟ ଦିଶେ ।

 

ହିପୋପୋଟାମସ୍‌ ରାତିରେ ନଦୀ ଭିତରେ ବିଚରଣ କରେ ରାତିକି ମଧ୍ୟରେ ସେ ପ୍ରାୟ କୋଡ଼ିଏ ମାଇଲ ବାଟ ପଳାଇଯାଏ । ନଦୀ ଭିତରେ ଏଣେତେଣେ ବୁଲି ସେ ଗଭୀର ଗଣ୍ଡ ଖୋଜେ ।

 

ପାଣିଘାସ ଓ ଗୁଳ୍ମ ଇତ୍ୟାଦି ଏହାର ପ୍ରିୟ ଖାଦ୍ୟ । ଆଫ୍ରିକାର କେହି କେହି ଅଧିବାସୀ ଏହାର ମାଂସ ଖାଆନ୍ତି । ଏହି ମାଂସର ବର୍ଣ୍ଣ ଲାଲ । ହିପୋପୋଟାମସ୍‌ର ଦେହରେ ଲୋମ ନ ଥାଏ । ଏହାର ଚମଡ଼ା ପ୍ରାୟ ଦେଢ଼ଇଞ୍ଚ ମୋଟା ହୋଇଥିବା ହେତୁ ଏ ଯେ କୌଣସି ଆଘାତକୁ ସହଜରେ ସହି ନିଏ । ଶିକାରୀ ଏହାକୁ ହାଠାତ୍‌ ମାରିପାରେ ନାହିଁ । କାରଣ ସେ ଖୁବ୍‌ ସତର୍କରେ ନଦୀରେ ବିଚରଣ କରେ । ଟିକିଏ ବିପଦର ସୂଚନା ପାଇଲେ ସାଙ୍ଗେ ସାଙ୍ଗେ ପାଣି-ଭିତରକୁ ବୁଡ଼ିଯାଇ ଲୁଚେ । ବେଳେବେଳେ ସେ ଶିକାରୀକୁ ଆକ୍ରମଣକରି ତାହାକୁ ମାରିପକାଏ ।

 

ପାଣିଭିତରେ ହିପୋପୋଟାମସ୍‌ ଗୁଳିଦ୍ୱାରା ମଲେ ତାହାର ଶବ ପାଣିରେ ନ ଭାସି ବୁଡ଼ିଯାଏ । ଶିକାରୀ ପାଣିରୁ ଖୋଜି ସେହି ଶବକୁ ବାହାର କରେ ।

 

ଇଂଲଣ୍ଡ, ଇଟାଲୀ, ମଧ୍ୟ ଆଫ୍ରିକା ପ୍ରଭୃତି ଦେଶରୁ ଏହି ଜୀବଙ୍କର ବହୁ ଅସ୍ଥି ସଂଗୃହୀତ ହୋଇଅଛି । ତେଣୁ ଅସ୍ଥି ମିଳୁଥିବା ଅଞ୍ଚଳଗୁଡ଼ିକରେ ସେମାନଙ୍କର ବାସସ୍ଥାନ ଥିଲା ବୋଲି ପଣ୍ଡିତମାନେ ବିଶ୍ୱାସ କରୁଛନ୍ତି ।

Image

 

କଙ୍ଗାରୁ ଓ ଜିରାଫ

କଙ୍ଗାରୁ

 

ଅଷ୍ଟ୍ରେଲିଆ ଗୋଟିଏ ମହାଦେଶ । ସେହି ମହାଦେଶରେ ଗୁଡ଼ିଏ ଅଦ୍‌ଭୁତ ପ୍ରକାର ଜୀବ ଦେଖାଯାନ୍ତି । ସେହି ଜୀବଗୁଡ଼ିକର ଲାଞ୍ଜଠାରୁ ମୁଣ୍ଡ ପର୍ଯ୍ୟନ୍ତ ଲମ୍ୱ ପ୍ରାୟ ପାଞ୍ଚଫୁଟ । ସେମାନେ ଅଷ୍ଟ୍ରେଲିଆ ଓ ତାହାର ନିକଟବର୍ତ୍ତୀ ଟାସ୍‌ମାନିଆରେ ବହୁ ସଂଖ୍ୟାରେ ଦେଖାଯାନ୍ତି । ସେମାନଙ୍କୁ କଙ୍ଗାରୁ କୁହାଯାଏ । ଅଷ୍ଟ୍ରେଲିଆରେ କଙ୍ଗାରୁକୁ କିଏ ପ୍ରଥମ ଆବିଷ୍କାର କରି ୟୁରୋପୀୟମାନଙ୍କୁ ଜଣାଇଥିଲା, ସେ ସମ୍ୱନ୍ଧରେ ନାନାମତ ରହିଛି । କେହି କେହି କହନ୍ତି, ଅଷ୍ଟ୍ରେଲିଆବାସୀ କାପ୍‌ଟେନ ଜେମ୍‌ସ୍‌ କୁକ୍‌ଙ୍କୁ ତାଙ୍କ ଜଳଯାତ୍ରାବେଳେ ଏହି ଜୀବରୁ କୋତୋଟି ଉପହାର ଦେଇଥିଲେ । ସେତିକିବେଳେ ସେଗୁଡ଼ିକୁ ଘେନି ସେ ୟୁରୋପକୁ ଆସିଥିଲେ । ମାତ୍ର ଏହିକଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅନ୍ୟମାନେ କହନ୍ତି । ଜେମ୍‌ସ୍‌କୁକ୍‌ କେବଳ କଙ୍ଗାରୁ ଜୀବର ଖବର ୟୁରୋପୀୟମାନଙ୍କୁ ଜଣାଇଥିଲେ ବୋଲି ସେମାନଙ୍କର ମତ । ପରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଚେଷ୍ଟାରେ ୟୁରୋପବାସୀ ତାହା ଦେଖିବାକୁ ପାଇଥିଲେ ।

 

ସେ ଯାହାହେଉ କଙ୍ଗାରୁ ଯେ ଗୋଟିଏ ବିଚିତ୍ର ଜୀବ, ଏକଥା ସୁନିଶ୍ଚିତ । ଏହି ଜାତିର ଆହୁରି ତିରିଶ ପ୍ରକାର ଜୀବ ପୃଥିବୀରେ ଅଛନ୍ତି ।

 

ଗୋଟିଏ ଗୋଟିଏ କଙ୍ଗାରୁର ଓଜନ ଦୁଇମହଣରୁ ଅଧିକ । ମାଈ କଙ୍ଗାରୁ ଅଣ୍ଡିରା କଙ୍ଗାରୁଠାରୁ ଓଜନରେ ଯଥେଷ୍ଟ ଊଣା ।

 

କଙ୍ଗାରୁ ମାଂସକୁ ଅଷ୍ଟ୍ରେଲିଆର ଲୋକେ ଖାଇବାକୁ ସୁଖ ପାଆନ୍ତି । ତାହା ରୁଚିକର ଓ ସୁସ୍ୱାଦୁ ବୋଲି ସେମାନେ କହନ୍ତି । ଆକାର ତୁଳନାରେ ତାହାର ଦେହରେ ଯଥେଷ୍ଟ ମାଂସ ନ ଥାଏ-। ତାହା ଲାଙ୍ଗୁଳଟିରୁ ମଧ୍ୟ ବହୁ ଉପକାର ମିଳେ ।

 

କ୍ରୀଡ଼ା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଦେଶର ଲୋକେ କଙ୍ଗାରୁମାନଙ୍କୁ ଶିକାର କରନ୍ତି । ଘୋଡ଼ାରେ ଚଢ଼ି ଅଥବା ପାଦରେ ଚାଲି ସେମାନଙ୍କୁ ଶିକାର କରାଯାଏ ।

 

ଜଣେ ଲେଖକ କହିଛନ୍ତି, ‘‘କଙ୍ଗାରୁମାନଙ୍କୁ ଶିକାର କରିବାକୁ ହେଲେ ଧୈର୍ଯ୍ୟ ଓ ବଳ ପ୍ରୟୋଜନ ।’’ ଯଦି କେହି ବନ୍ଧୁକ ଫୁଟାଇ ସେମାନଙ୍କୁ ମାରିବାକୁ ଚେଷ୍ଟାକରେ, ତେବେ ଗୁଳି ନ ବାଜିବା ପୂର୍ବରୁ ସେମାନେ ପବନ ବେଗରେ କାହିଁ କେଉଁଆଡ଼େ ପଳାଇ ଯାଆନ୍ତି । ଏଭଳି ବିପଦବେଳେ ସେମାନଙ୍କର କୌଣସି ଲକ୍ଷ୍ୟ ରହେ ନାହିଁ, ସେମାନେ ମନଇଚ୍ଛା ଏଣେ ତେଣେ ଜୀବନ ଘେନି ଦୌଡ଼ି ପଳାନ୍ତି । କେତେକ ଦକ୍ଷ ଶିକାରୀ ଏକା ଦିନକେ ସତୁରୀ କିମ୍ୱା ଅଶୀଟା କଙ୍ଗାରୁ ମାରିଥିବାର ମଧ୍ୟ ଦେଖାଯାଇଛି ।

 

କଙ୍ଗାରୁର ଆଗ ଗୋଡ଼ଦୁଇଟି ଛୋଟ ଏବଂ ପଛଗୋଡ଼ ଦୁଇଟି ବଡ଼ ଓ ଶକ୍ତ । ସେ କେବେହେଲେ ଗାଈ ଗୋରୁଙ୍କପରି ଚାଲି ଚାଲି ଯାଏ ନାହିଁ । କୁଦାମାରି ଏକାଥରକେ କୋଡ଼ିଏ କି ତିରିଶ ଫୁଟ ପର୍ଯ୍ୟନ୍ତ ଡେଇଁଯାଏ । ସେ ଯେତେବେଳେ କୁଦାମାରି ଅନ୍ୟସ୍ଥାନରେ ପଡ଼େ, ସେତେବେଳେ ପଛଗୋଡ଼ ଦୁଇଟି ଉପରେ ତା ଦେହର ସମୁଦାୟ ଓଜନ ରହେ ।

 

ସାଧାରଣତଃ ଜୀବମାନେ ସେମାନଙ୍କର ଛୁଆଗୁଡ଼ିକୁ ସାଙ୍ଗରେ ନେଇ କିମ୍ୱା କାଖରେ ବୋହି ଯିବାଆସିବା କରନ୍ତି । ମାତ୍ର କଙ୍ଗାରୁ ତା’ ଛୁଆକୁ ପେଟତଳେ ଥିବା ଏକ ଥଳିରେ ରଖି ବୁଲେ । ସେହି ଥଳିରେ ଛୁଆଟି ଧୀରେ ଧୀରେ ବଢ଼େ । ଗୋଟିଏ କଙ୍ଗାରୁ ଛୁଆର ଓଜନ ଦୁଇ କିମ୍ୱା ତିନିସେର ହେବାଯାଏ ତା ମା’ ତାକୁ ମୁଣାରେ ଧରି ଯାତାୟାତ କରେ । ଟିକିଏ ବଡ଼ ହୋଇଗଲେ, ଛୁଆ ଆପେ ଆପେ ଚାଲେ ଏବଂ ମା’ର ସାହାଯ୍ୟ ଲୋଡ଼େ ନାହିଁ ।

 

କଙ୍ଗାରୁ ଅତି ନିରୀହ ପ୍ରାଣୀ । ସେ ଦୁବ ଘାସ ଓ ଶସ୍ୟ ଇତ୍ୟାଦି ଖାଇ ବଞ୍ଚିରହେ । ଅଷ୍ଟ୍ରେଲିଆରେ ସେମାନଙ୍କ ସଂଖ୍ୟା ଦିନକୁଦିନ କମିଯାଉଥିବାରୁ ସେ ଦେଶରେ ସରକାର ସେମାନଙ୍କର ରକ୍ଷଣାବେକ୍ଷଣ ଲାଗି ନାନା ଉଦ୍ୟମ କରୁଛନ୍ତି ।

 

ଈଶ୍ୱରଙ୍କ ସୃଷ୍ଟିରେ ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରୁ କଙ୍ଗାରୁ ଯେ ଗୋଟିଏ ଅଦ୍ଭୁତ ଜୀବ ଏହା ନିଃସନ୍ଦେହରେ କୁହାଯାଇପାରେ ।

Image

 

ଜିରାଫ

 

ପୂର୍ବେ ଇଂଲଣ୍ଡ ଦେଶରେ ଜଣେ ରାଣୀ ଥିଲେ । ତାଙ୍କ ନାମ ଭିକ୍ଟୋରିଆ । ଥରେ ସେ ରାଣୀଙ୍କୁ ଗୋଟିଏ ଜୀବ ଉପହାର ଦିଆଯାଇଥିଲା । ରାଣୀ ତାକୁ ଦେଖି ଅତି ଆନନ୍ଦିତା ହୋଇ କହି ପକାଇଲେ, ‘‘ଈଶ୍ୱରଙ୍କ ସୃଷ୍ଟିରେ ଏ କି ସୁନ୍ଦର ଜୀବ !’’

 

ରାଣୀ ଭିକ୍ଟୋରିଆ ଯେଉଁ ଜୀବକୁ ଦେଖି ଏତେ ଖୁସି ହୋଇଥିଲେ, ତା’ର ନାମ ଜିରାଫ-। ଇଂଲଣ୍ଡ ଦେଶରେ ଜିରାଫ ଦେଖାଯାନ୍ତି ନାହିଁ-। ଆମ ଭାରତ ବର୍ଷରେ ମଧ୍ୟ ଏହି ଜୀବ ନାହାନ୍ତି । କେବଳ ଆଫ୍ରିକାର ନିବିଡ଼ ଅରଣ୍ୟରେ ସେମାନଙ୍କୁ ଦେଖିବାକୁ ମିଳିପାରେ । ଥରେ ଜଣେ ପ୍ରାଣିତତ୍ତ୍ୱବିତ୍‌ କହିଥିଲେ, ‘‘ଜିରାଫ ହରିଣର ଅପର ସଂସ୍କରଣ ।’’ ଯେପରି ବାଘ ନ ଦେଖିଥିବା ଲୋକ ବିରାଡ଼ିକୁ ଦେଖି ବାଘର ରୂପ କଳ୍ପନା କରିନିଏ, ସେହିପରି ହରିଣକୁ ଦେଖି ଜିରାଫର ରୂପ ଭାବିନେବାକୁ ହେବ ।

 

ଆଜିକାଲି ଜିରାଫ ପ୍ରାୟ ଦେଖାଯାଆନ୍ତି ନାହିଁ । କାରଣ ସେମାନଙ୍କ ବଂଶ କ୍ରମଶଃ ପୃଥିବୀରୁ ଲୋପ ପାଇଯାଉଛି । ଥରେ କେତେଜଣ ପଣ୍ଡିତ ଗୁଡ଼ିଏ ହାଡ଼ ମାଟିତଳୁ ଆବିଷ୍କାର କରିଥିଲେ । ସେହି ହାଡ଼ଗୁଡ଼ିକ ଜିରାଫର ବୋଲି ସେମାନେ ପ୍ରମାଣ କରନ୍ତି ।

 

ସବୁ ଜିରାଫର ରୂପ ଓ ବର୍ଣ୍ଣ ସମାନ ନୁହେଁ । ପୁଣି କେତେକଙ୍କର ଦୁଇଟି ଶିଙ୍ଗ ଥାଏ । ସେହି ଶିଙ୍ଗଗୁଡ଼ିକ ଛୋଟ । ଗୋଟିଏ ପୂର୍ଣ୍ଣ ବୟସ୍କ ଜିରାଫର ଉଚ୍ଚତା ୧୯ ଫୁଟ ।

 

ଜିରାଫର ପାଟି ବଡ଼ ଓ ଜିଭର ଲମ୍ୱ ପ୍ରାୟ ଅଠର ଇଞ୍ଚ । ତାହାର ଆଖି ଦୁଇଟି କ୍ଷୁଦ୍ର ଏବଂ ସୁନ୍ଦର । ସେ ଆକାଶିଆ ନାମକ ଏକପ୍ରକାର ବୃକ୍ଷର ପତ୍ର ଖାଇବାକୁ ବିଶେଷ ଆନନ୍ଦ ପାଏ-। ତାହାଛଡ଼ା ଘାସ ଓ ଅନ୍ୟାନ୍ୟ ପତ୍ରଖାଇ ସେ ଜୀବନଧାରଣ କରେ । ଜିରାଫ ପରି କଷ୍ଟସହିଷ୍ଣୁ ଜୀବ କ୍ୱଚିତ୍‌ ଦେଖାଯାଆନ୍ତି । ତାକୁ କେତେ ଯନ୍ତ୍ରଣା ଦେଲେ ସୁଦ୍ଧା ସେ ଆଦୌ ଚିତ୍କାର କରେ ନାହିଁ । ତାହାର ନିରୀହ ପ୍ରକୃତିଯୋଗୁଁ ସେ ଲୋକଙ୍କ ନିକଟରେ ଆଦର ପାଏ ।

 

ତାର ଚର୍ମରୁ ଟୋପି ପ୍ରସ୍ତୁତ ହୁଏ । ବ୍ୟବସାୟ ଉଦ୍ଦେଶ୍ୟରେ ଶିକାରୀମାନେ ବହୁ ଜିରାଫ ମାରୁଥିବାରୁ ଦକ୍ଷିଣ ଆଫ୍ରିକାରେ ସେମାନଙ୍କ ବଂଶ ପ୍ରାୟ ଲୋପ ହୋଇଯାଇଛି, କହିଲେ ଚଳେ ।

 

ଜିରାଫ ଓଟପରି ବହୁଦୂର ପଥ ଚାଲିପାରେ । ପାଣି ନ ପିଇ ସେ କିଛିଦିନ ବଞ୍ଚିରହେ । ଶୀତଦିନରେ ପାଣି ପିଇବାକୁ ତା’ର ବିଶେଷ ଆଗ୍ରହ ନ ଥାଏ ।

Image

 

ଗଣ୍ଡାର

 

ତୁମ୍ଭେମାନେ ହାତୀ, ବାଘ, ଘୋଡ଼ା, ବିଲୁଆ ପ୍ରଭୃତି ଦେଖିଥିବ । ମାତ୍ର ଗଣ୍ଡାରଟିଏ ଦେଖିବା ସହଜ ନୁହେଁ ।

 

ବର୍ତ୍ତମାନ ଏଇ ଛବିରେ ଗଣ୍ଡାର ଦେଖ ।

 

ଗଣ୍ଡାର ଗୋଟିଏ ହିଂସ୍ର ଜୀବ । ତାହାର ଶରୀର ଯେପରି ବୃହତ୍‌, ଦେହ ସେହିପରି ଅତଶୟ କୁତ୍ସିତ । ପୃଥିବୀରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ଅଳ୍ପ । ଅନେକ ବର୍ଷପୂର୍ବେ ପୃଥିବୀରେ ମୋଟେ ପାଞ୍ଚଟି ଗଣ୍ଡାର ଥିଲେ ବୋଲି ଜଣେ ଶିକାରୀଙ୍କ ଟିପା ଖାତାରୁ ଜଣାପଡ଼େ । ସେଥିମଧ୍ୟରୁ ଆଫ୍ରିକାରେ ଦୁଇଟି ଏବଂ ଏସିଆର ତିନୋଟି ଥିଲେ । ଏସିଆରେ ଯେଉଁ ତିନୋଟି ଜୀବ ଥିଲେ, ସେଥିମଧ୍ୟରୁ ଦୁଇଟି ହିମାଳୟର ପାଦଦେଶରେ ଥିବା ଭୂଟାନ ଓ ନେପାଳ ଅଞ୍ଚଳରେ ବାସ କରୁଥିଲେ । କେହି କେହି କହନ୍ତି ଯେ, ଆଗେ ଗଣ୍ଡାରମାନେ ବ୍ରହ୍ମଦେଶ, ବଙ୍ଗଳାର ସୁନ୍ଦରବନ, ଆସାମର ଘୋର ଜଙ୍ଗଲରେ ବାସ କରୁଥିଲେ ।

 

ସାଧାରଣତଃ ଗଣ୍ଡାର ଦୁଇପ୍ରକାର । ଶ୍ୱେତ ଓ କୃଷ୍ଣ । ଶ୍ୱେତ ଗଣ୍ଡାରମାନଙ୍କର ହିସାବ ହୋଇଥିଲା । ପ୍ରଥମେ ଜୁଳୁଲ୍ୟାଣ୍ଡରେ ଥିବା ସଂରକ୍ଷିତ ଜଙ୍ଗଲକୁ ଚାରିଆଡ଼ୁ ଘେରାଉ କରାଗଲା । ତାହାପରେ ଗଣ୍ଡାର ଖୋଜିବା କାର୍ଯ୍ୟ ଆରମ୍ଭ ହେଲା । ବଡ଼ ଆନନ୍ଦର କଥା ଯେ, ଗୋଟିଏ ମାତ୍ର ଦୁର୍ଘଟଣା ନ ଘଟି ଗଣ୍ଡାରମାନଙ୍କର ସଂଖ୍ୟା ସ୍ଥିର କରାଯାଇଥିଲା । ସେ ଦେଶର ଅରଣ୍ୟରେ ପ୍ରାୟ ପାଞ୍ଚଶହ ସତାବନଟି ଶ୍ୱେତ ଗଣ୍ଡାର ଥିବା ପ୍ରମାଣ ସେହି ହିସାବରୁ ଜଣାପଡ଼େ ।

 

ଶିକାରୀମାନେ କହନ୍ତି, ଭାରତର ଗଣ୍ଡାରଗୁଡ଼ିକ ବିଶେଷ ହିଂସ୍ର ନୁହନ୍ତି । ତେଣୁ ସେମାନଙ୍କୁ ସହଜରେ ହାତୀଉପରୁ ଶିକାର କରାଯାଇପାରେ । ଦକ୍ଷ ଶିକାରୀମାନେ ପାଦରେ ଚାଲି ସେମାନଙ୍କୁ ଶିକାର କରନ୍ତି ସତ; କିନ୍ତୁ ଅଧିକାଂଶ ସମୟରେ ମୃତ୍ୟୁର ଆଶଙ୍କା ଥାଏ ।

 

ଗୋରୁ, ମଇଁଷି ଓ ହରିଣମାନଙ୍କର ମୁଣ୍ଡରେ ଶିଙ୍ଗ ଥାଏ । ମାତ୍ର ଗଣ୍ଡାରର ଶିଙ୍ଗ ତାହାର ନାକ ଉପରେ ଥାଏ । ସେହି ଶିଙ୍ଗ କୌଣସି ହାଡ଼ ସହିତ ସଂଯୁକ୍ତ ହୋଇ ନଥାଏ । କେବଳ ଚମ ଉପରୁ ତାହା ପଦାକୁ ବାହାରିଥାଏ । ସେହି ଶିଙ୍ଗ ହାତେ କିମ୍ୱା ଦେଢ଼ହାତରୁ ଦୁଇହାତ ପର୍ଯ୍ୟନ୍ତ ଲମ୍ୱ । ଶିଙ୍ଗଦ୍ୱାରା ସେ ଶତ୍ରୁକୁ ଭୀଷଣ ଭାବେ ଆକ୍ରମଣ କରେ । ହାତୀପରି ବୃହତ୍‌ ଜୀବକୁ ତାହାର ଲେଶମାତ୍ର ଭୟ ନ ଥାଏ; ବରଂ ହାତୀ ଗଣ୍ଡାରକୁ ଦେଖି ସର୍ବଦା ଭୟକରେ ଏବଂ ପଳାଇଯିବାକୁ ବାଟ ଖୋଜେ । ଗଣ୍ଡାର ରାଗିଲେ କିମ୍ୱା ଆଘାତ ପାଇଲେ ଉଗ୍ର ରୂପ ଧାରଣ କରେ ।

 

ଗଣ୍ଡାର ଦିନବେଳେ ଘୋର ଜଙ୍ଗଲ ଭିତରେ ପଶି ଶୋଇରହେ । ରାତି ହେଲେ ଜଙ୍ଗଲର ଏଣେତେଣେ ବୁଲି ଖାଦ୍ୟ ଅନ୍ୱେଷଣ କରେ । ସେତିକିବେଳେ ଦୈବାତ୍‌ କୌଣସି ଜନ୍ତୁ ତାହାର ସମ୍ମୁଖୀନ ହେଲେ, ସେ ତାକୁ ଆକ୍ରମଣ କରି ମାରିଦିଏ ।

 

ପୁରୁଷ ଗଣ୍ଡାରର ସାଧାରଣ ଉଚ୍ଚତା ୬ଫୁଟ; କିନ୍ତୁ ସ୍ତ୍ରୀ ଗଣ୍ଡାରର ଉଚ୍ଚତା ତାହାଠାରୁ କିଞ୍ଚିତ ଊଣା ।

 

ଗଣ୍ଡାର ଜଙ୍ଗଲମାନଙ୍କରେ ଥିବା ବଡ଼ବଡ଼ ପୋଖରୀର ପଙ୍କରେ ଗଡ଼େ । ଭୁଇଁକୁ ଆସି ଧୂଳିରେ ଗଡ଼ିବାକୁ ସେ ବିଶେଷ ଆନନ୍ଦ ପାଏ । ସେ ନିରାମିଷାଶୀ ଜୀବ ଥିବାରୁ କେବଳ ଘାସ, ପତ୍ର ଇତ୍ୟାଦି ଖାଇ ଜୀବନଧାରଣ କରେ । ତାହାର ଚମଡ଼ା ଚିକ୍‌କଣ ଓ ଖୁବ୍‌ ମୋଟା । ସେହି ଚର୍ମରୁ ଯୁଦ୍ଧରେ ବ୍ୟବହୃତ ହେଉଥିବା ଢାଲ ପ୍ରସ୍ତୁତ ହୁଏ । ସେହି ଢାଲର ବିଶେଷତ୍ୱ ଏହି ଯେ ତହିଁରେ ଯେତେ ଆଘାତ କଲେ ସୁଦ୍ଧା ତାହା ସହଜରେ ଫୁଟିଯାଏ ନାହିଁ । ତାହା ଶିଙ୍ଗରୁ ଔଷଧ ପ୍ରସ୍ତୁତ ହୁଏ । ତେଣୁ ଅତୀତରେ ଭାରତରୁ ବହୁ ଶିଙ୍ଗ ଚୀନ୍‌ଦେଶକୁ ରପ୍ତାନୀ ହୋଇଥିଲା । ଗଣ୍ଡାରର ଚିକ୍‌କଣ ଦେହରେ ଲୋମ ନଥାଏ । କିନ୍ତୁ ଲାଞ୍ଜର ଅଗ୍ରଭାଗରେ ଅଳ୍ପ ବାଳ ଥାଏ ।

 

ଶ୍ୱେତ ଓ କୃଷ୍ଣ ଗଣ୍ଡାରର ମୁହଁଗଠନ ସମାନ ନୁହେଁ । ଶ୍ୱେତଗଣ୍ଡାରର ଉପର ଓଠ ଚାରିକୋଣିଆ; ମାତ୍ର କୃଷ୍ଣଗଣ୍ଡାରର ଉପର ଓଠ ଗୋଜିଆ । ଉଭୟଙ୍କର ମୁଣ୍ଡ ଖୁବ୍‌ ଶକ୍ତ । ଚାଲିବା ସମୟରେ ଗଣ୍ଡାର ମୁହଁକୁ ସର୍ବଦା ତଳକୁ ପୋତିଥାଏ । ସିଂହପରି ତାହାର ସାହସ ନ ଥିବାରୁ ସେ ନିର୍ଭୟରେ କାହାରିକୁ ଆକ୍ରମଣ କରେ ନାହିଁ ।

 

ଦକ୍ଷିଣ ଆଫ୍ରିକାରେ ଅନେକ କୃଷ୍ଣ ଗଣ୍ଡାର ଦେଖାଯାଆନ୍ତି । କୃଷ୍ଣଗଣ୍ଡାରଗୁଡ଼ିକ ଅତି ଭୟଙ୍କର ଏବଂ ଦୁଷ୍ଟ ବୋଲି ଶିକାରୀମାନେ କହନ୍ତି । ଜଣେ ବିଶିଷ୍ଟ ଶିକାରୀ ଗଣ୍ଡାର ବିଷୟରେ କହିଛନ୍ତି, ‘‘ମୋର ଅନୁଭୂତିରୁ ମୁଁ ସ୍ପଷ୍ଟରୁପେ ଜାଣୁଅଛି ଯେ, ଗଣ୍ଡାରଗୁଡ଼ିକ ମନୁଷ୍ୟର ଗନ୍ଧ ପାଇଲେ କ୍ଷିପ୍ର ବେଗରେ ପଳାଇ ଯାଆନ୍ତି । କିନ୍ତୁ କୌଣସି ଶବ୍ଦ ଶୁଣିଲେ ସଙ୍ଗେସଙ୍ଗେ ସେହି ଆଡ଼କୁ ଆସନ୍ତି ଏବଂ ପ୍ରାୟ କୋଡ଼ିଏ ଫୁଟ ଦୂରରେ ରହି ଚିତ୍କାର କରି ଗର୍ଜିଉଠନ୍ତି । କିନ୍ତୁ ସେମାନେ ଆକ୍ରମଣ କରିବାକୁ ସାହସ ନ କରି, ବୁଲିପଡ଼ି ପଳାଇ ଯାଆନ୍ତି । ତେଣୁ ମୁଁ ଭାବୁଛି, ସେମାନଙ୍କର ଜାଣିବା ଓ ଦେଖିବା ସ୍ପୃହା ଯଥେଷ୍ଟ ଅଛି । ସେମାନେ ସମ୍ଭବତଃ ଦୂର ବସ୍ତୁକୁ ଦେଖିପାରନ୍ତି ନାହିଁ । କେହି ଗୁଳିକଲେ ହଠାତ୍‌ କୁଦାମାରି ଡେଇପଡ଼ନ୍ତି ଓ ଚିତ୍କାର କରନ୍ତି । ପୁଣି ମଧ୍ୟ ଶିକାରୀକୁ ଭୟ ଦେଖାଇବାର ଛଳନା କରନ୍ତି । ସେମାନେ କ୍ଷିପ୍ର ବେଗରେ ଦୌଡ଼ନ୍ତି । ଘୋଡ଼ା ଉପରେ ବସି ଶିକାର କଲେ ବିଶେଷ ଅସୁବିଧା ହୁଏ ନାହିଁ । ଏମାନଙ୍କ ମାଂସ ନରମ ନୁହେଁ, କି ସ୍ୱାଦୁ ନୁହେଁ ।’’

 

ଗଣ୍ଡାର ସିଂହ ସହିତ ଯୁଦ୍ଧ କରିବାର ଦେଖାଯାଏ ନାହିଁ । ବରଂ କୁମ୍ଭୀର ସହିତ ଭୀଷଣ ଲଢ଼େଇ କରେ ବୋଲି ଶିକାରୀମାନେ କହନ୍ତି ।

 

ଥରେ ଗୋଟିଏ ଗଣ୍ଡାର ନଦୀର ସ୍ଥିର ଜଳରେ ପଶି ବାଲିରେ ଘାଣ୍ଟି ହେଉଥିଲା । ସେତିକିବେଳେ ହଠାତ୍‌ କୁମ୍ଭୀରଟାଏ ସେଠାରେ ପହଞ୍ଚି ତାକୁ ଆକ୍ରମଣ କଲା । ଏହି ଆକ୍ରମଣର ଶେଷଫଳ କଣ ହେଲା ତାହା ତୁମେ ଜାଣିବାକୁ ଆଗ୍ରହ କର କି ?

 

କୁମ୍ଭୀର କ୍ଷିପ୍ର ବେଗରେ ଗଣ୍ଡାର ଦେହରେ ଖଗ ବୁଲାଇବା କ୍ଷଣି ଗଣ୍ଡାର ସାଙ୍ଗେ ସାଙ୍ଗେ ଭୂଇଁକୁ ଚାଲିଗଲା । କୁମ୍ଭୀର କଣ ଛାଡ଼ିଦେବା ଜନ୍ତୁ ? ବହୁ ଦିନପରେ ଯେତେ ବେଳେ ମାଂସଳ ଜନ୍ତୁଟାଏ ହାବୁଡ଼ରେ ପଡ଼ିଛି, ତାହାର ସ୍ୱାଦୁ ନ ଚାଖି, ଛାଡ଼ିଦେଇ ପାଣିକୁ ଲେଉଟିଯିବ କିପରି ? କୁମ୍ଭୀର ଗଣ୍ଡାର ପଛେ ପଛେ ନଈ ଭିତରୁ ଲସର ପସର ହୋଇ ଭୂଇଁକୁ ଉଠି ଆସିଲା । କୁମ୍ଭୀର ଓ ଗଣ୍ଡାର ମୁହାଁ ମୁହିଁ ହୋଇ କ୍ଷଣକାଳ ଠିଆ ହେଲେ । ଗଣ୍ଡାର ମୁନିଆଁ ଶିଙ୍ଗ ଦେଖାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା । କୁମ୍ଭୀର ତାହାର ଖଗ ବୁଲାଇ ଗଣ୍ଡାର ଗୋଡ଼କୁ ଧରିଲା ଏବଂ ବଳ ଖଟାଇ ଗଣ୍ଡାରକୁ ପୁନର୍ବାର ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କଲା । ମାତ୍ର ଗଣ୍ଡାର ତାକୁ ନଦୀ କୂଳଠାରୁ ବହୁ ଦୂର ଯାଏ ଟାଣି ନେଉଥାଏ । ଅନେକ ବେଳ ଦୁହିଁଙ୍କ ମଧ୍ୟରେ ଟଣା ଓଟରା ଚାଲିଲା । ଗଣ୍ଡାର ପଚାଶହାତ ପର୍ଯ୍ୟନ୍ତ କୁମ୍ଭୀରକୁ ଝିଙ୍କି ନେଉଥିଲା । କୁମ୍ଭୀର ମଧ୍ୟ କୋଡ଼ିଏ ହାତ ପର୍ଯ୍ୟନ୍ତ ତାକୁ ନଈକୂଳ ଆଡ଼କୁ ଟାଣି ଆଣୁଥିଲା । ନଈକୂଳ ମାଟି ଖୁବ୍‌ ପଙ୍କୁଆ ଥିବାରୁ ସେହି ପଙ୍କରେ କୁମ୍ଭୀର ଅଟକି ରହିଲା । ଗଣ୍ଡାର ଯେତେ ଚେଷ୍ଟା କଲେ ସୁଦ୍ଧା ତାକୁ ଭୂଇଁ ଉପରକୁ ଟାଣିପାରିଲା ନାହିଁ । ବରଂ ଲଢ଼େଇରେ ଦୁହେଁ ଗୁରୁତର ଭାବେ ଆହତ ହେଲେ । ଶେଷରେ କୁମ୍ଭୀର ତା’ର ଶତ୍ରୁ ଗଣ୍ଡାରକୁ ନଦୀଗର୍ଭକୁ ଟାଣି ନେଲା ଏବଂ ସେଠାରେ ଗଣ୍ଡାରଟି ମଲା ।

 

ଆହୁରି ଦିନେ ଗୋଟିଏ ବଡ଼ ଗଣ୍ଡାର କୌଣସି ଏକ ନଦୀପଙ୍କରେ ପଡ଼ିରହି ଆଉ ଉଠିପାରିଲା ନାହିଁ । ଏହା ଦେଖି ପ୍ରାୟ ଦୁଇ ଶହ ଲୋକ ମିଶି ତା’ ବେକରେ ଦୁଇଟା ମୋଟା ଦଉଡ଼ି ବାନ୍ଧିଲେ ଏବଂ ତାକୁ ଅତି କଷ୍ଟରେ ଭୂଇଁକୁ ଆଣିଲେ । ତାହାପରେ ଜଣେ ସାହେବ ସେହି ଗଣ୍ଡାରଟିକୁ ଲୋକମାନଙ୍କୁ ଶହେ ଟଙ୍କା ମୂଲ୍ୟରେ ବିକି ପ୍ରଚୁର ଧନ ଲାଭ କରିଥିଲେ ।

Image

 

ପ୍ରଶ୍ନାବଳୀ

କୀଟ କାରିଗର

 

୧.

ବୁଢ଼ିଆଣୀକୁ ଚତୁର କୀଟ ବୋଲି କୁହାଯାଇଛି କାହିଁକି ?

୨.

ବୁଢ଼ିଆଣୀମାନେ ମନୁଷ୍ୟର କି ଉପକାର କରନ୍ତି ?

୩.

ମଉଜ, ଚକ୍‌ଚକ୍‌, ଗବେଷଣା, ସୁଯୋଗ, ବିଷାକ୍ତ, ଭୟଙ୍କରୀ, ଆଶଙ୍କାଏଗୁଡ଼ିକ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଢ଼ ।

 

ଉପକାରୀ ମହୁମାଛି

 

୧.

ମହୁ ଚାଖିଲେ କିପରି ଲାଗେ ? ତାହା କେଉଁ କେଉଁ ରୋଗରେ ବ୍ୟବହୃତ ହୁଏ ?

୨.

ମହୁମାଛି କେତେ ପ୍ରକାର ? ଶ୍ରମିକା ମହୁମାଛିର କାର୍ଯ୍ୟ କଣ ?

୩.

ପୃଥିବୀରେ କେତେ ପ୍ରକାର ମାଛି ଦେଖାଯାନ୍ତି ? ସେମାନଙ୍କ ମଧ୍ୟରେ କେଉଁ ମାଛି ବିଶେଷ ଉପକାରୀ ?

୪.

ଶୂନ୍ୟସ୍ଥାନ ପୂରଣ କର :—

 

—ନିଜନିଜ ଜୀବନକୁ ବଳି ଦେଇ ଯେଉଁ—ସାଇତି ରଖନ୍ତି, ତାହାକୁ ଆମ୍ଭେମାନେ ସଂଗ୍ରହ କରି କାର୍ଯ୍ୟରେ ଲଗାଉଁ । ମାହୁମାଛିର ଏହି—କମ୍‍ ଆଦର୍ଶ ନୁହେଁ ।

 

ରାକ୍ଷସ ପକ୍ଷୀ

 

୧.

ଓଟପକ୍ଷୀମାନେ କେଉଁଠାରେ ବାସ କରନ୍ତି ?

୨.

ନିଜକୁ ଜଣେ ଶିକାରୀ ମନେକରି ଓଟପକ୍ଷୀକୁ କିପରି ଶିକାର କରିବ କୁହ ।

୩.

ନିମ୍ନଲିଖିତ ପ୍ରାଣୀଙ୍କର ଦେହର କେଉଁ ଅଂଶରେ ଅଧିକ ବଳଥାଏ ?

 

ସିଂହ, କୁମ୍ଭୀର, ଜିରାଫ, ହାତୀ ।

୪.

‘ଭୌଗୋଳିକ’ ଶବ୍ଦପରି ଆହୁରି ଦୁଇଟି ଶବ୍ଦ କହ ।

 

ଦୁଇଟି ବଡ଼ଜୀବ

 

୧.

କଠିନ, ଏକ, ଅବତରଣ—ଏଗୁଡ଼ିକର ବିପରୀତ ଶବ୍ଦ କହ ।

୨.

ହାଙ୍ଗର ମାଛକୁ ‘ସମୁଦ୍ର ବାଘ’ କୁହାଯାଇଛି କାହିଁକି ?

୩.

ଯୁକ୍ତରାଷ୍ଟ୍ର ଆମେରିକାର ନୌବିଭାଗୀୟ କର୍ମଚାରୀଙ୍କ ଜୀବନରେ କି ଅଦ୍ଭୁତ ଘଟଣା ଘଟିଥିଲା ବର୍ଣ୍ଣନା କର ।

୪.

ତିମିମାଛକୁ କିପରି ଶିକାର କରାଯାଏ ?

୫.

ଭ୍ରମ ସଂଶୋଧନ କର :—

 

ହାଙ୍ଗର ମାଛର ମୁହଁ ଉପରକୁ ଥାଏ । ଭାରତୀୟମାନେ ଅତି ଆଗ୍ରହରେ ଏଇ ସବୁ ମାଛ ଖାଆନ୍ତି । ତିମି ସ୍ତନ୍ୟପାୟୀ ଜୀବ ନୁହେଁ । ଆଜିକାଲି ଶୀକାରିମାନେ ଠେଙ୍ଗା ଦ୍ୱାରା ତିମିଙ୍କୁ ଶିକାର କରୁଛନ୍ତି ।

 

ପଶୁ ଜଗତର ରାଜା

 

୧.

ସିଂହକୁ ‘ପଶୁରାଜ’ କହନ୍ତି କାହିଁକି ?

୨.

ସିଂହୀର ରୂପ ଓ ଗୁଣ ବର୍ଣ୍ଣନା କର ।

୩.

ଥରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସିଂହ ସମ୍ୱନ୍ଧରେ କ’ଣ କହିଥିଲେ ?

୪.

ଭାରତ ସରକାର ବନ୍ୟଜୀବନ ସଂରକ୍ଷଣ ବୋର୍ଡ଼ ଗଠନ କରିଛନ୍ତି କାହିଁକି ?

୫.

ପରାମର୍ଶ, ନିର୍ଭୀକ, ବିଶେଷତ୍ୱ, ଶଟା, ତେଜୀୟାନ୍‌—ପ୍ରତ୍ୟେକ ଶବ୍ଦକୁ ବ୍ୟବହାରକରି ଗୋଟିଏ ଲେଖାଏଁ ବାକ୍ୟ ରଚନା କର ।

 

ବିରାଟ ଗରିଲା

 

୧.

ଇଂଲଣ୍ଡର ଜଣେ ଭଦ୍ରମହିଳା ‘ଜନ୍‌’ ବିଷୟରେ ଯେଉଁ କୌତୁକପୂର୍ଣ୍ଣ କଥା ଲେଖିଛନ୍ତି, ତାହାକୁ ନିଜ ଭାଷାରେ କହ ।

୨.

କେଉଁ କେଉଁ ଜୀବଙ୍କୁ ‘ବଣମଣିଷ’ କୁହାଯାଏ ?

୩.

ଗରିଲାର ପ୍ରକୃତି ଓ କାର୍ଯ୍ୟକଳାପ ବର୍ଣ୍ଣନା କର ।

୪.

ଯେପରି ‘ଘୋର ଅରଣ୍ୟ’, ସେହିପରି ଶୂନ୍ୟସ୍ଥାନ ପୂରଣକରି ଲେଖ ।

 

ଭୀଷଣ—, ଅଗାଧ—, ଅତିଶୟ—, ବିଜୟୀ—, କ୍ଷତ—, ସୁମିଷ୍ଟ—. ।

 

ପ୍ରଜାପତି

 

୧.

ଗୋଟିଏ ଗୋଟିଏ ଦଳରେ ପ୍ରାୟ କେତେ ପ୍ରଜାପତି ଥାଆନ୍ତି ?

୨.

କେଉଁ ସହରରେ ପ୍ରଜାପତିଙ୍କୁ ବିକାକିଣା କରାଯାଏ ?

୩.

ତଳଲିଖିତ ଶବ୍ଦଗୁଡ଼ିକୁ ଗୋଟିଏ ଲେଖାଏଁ ବାକ୍ୟରେ ବ୍ୟବହାର କର :—

 

ଅନ୍ୱେଷଣ, ଆଗ୍ରହାନ୍ୱିତ, ଲକ୍ଷ୍ୟ, ସୁଲଭ, ତଥ୍ୟ, ନିରୀହ ।

 

ଖଳସର୍ପ

 

୧.

ସର୍ପରେ ଜାତ କଲୁ ମୋତେ, ପ୍ରକୃତି ଛାଡ଼ିବି କେମନ୍ତେ—ଏହାକୁ ନିଜ ଭାଷାରେ ବୁଝାଇ ଦିଅ ।

୨.

ବେଲୁକ ପିତାଙ୍କର ମୃତ୍ୟୁ ଘଟିଲା କାହିଁକି ?

୩.

ଅନ୍ଧାର ରାତିରେ ତାଳିମାରି ଯିବା ଆସିବା କରିବା ଅପେକ୍ଷା ଭୂଇଁକୁ ଠକ୍‌ ଠକ୍‌ କରିବା ବିଶେଷ ନିରାପଦ କାହିଁକି ?

୪.

କେଉଁ ଦେଶର ଲୋକେ ଜୀଅନ୍ତା ସର୍ପକୁଧରି ଶୋଭାଯାତ୍ରାରେ ବାହାରନ୍ତି ?

୫.

କେଉଁ ଡାକ ଟିକେଟ୍‌ରେ, କି ଉଦ୍ଦେଶ୍ୟରେ ସର୍ପର ଛବି ରଖାଯାଇଛି ?

୬.

ଶୂନ୍ୟସ୍ଥାନ ପୂରଣ କର :–

 

ସାପ ଜିଭକୁ…………..କରି ଗ୍ରହଣ କରେ ।

 

ସାପ ଦେହର ଉତ୍ତାପ………….ଦେହର ଉତ୍ତାପଠାରୁ ଊଣା ।

 

………….ଶ୍ରେଣୀୟ ସାପମାନେ ଛୁଆ ପ୍ରସବ କରନ୍ତି ।

 

ଅଜଗର ସାପ ଥରକେ ପ୍ରାୟ…………ଛୁଆ ପ୍ରସବ କରେ ।

 

କୁତ୍ସିତ ଜୀବ

 

୧.

କୁତ୍ସିତ, ସନ୍ଧାନ, ଅନ୍ୟୂନ, କଦାକାର, ବିଚରଣ-ପ୍ରତ୍ୟେକ ଶବ୍ଦର ଅର୍ଥ କହ ଏବଂ ପ୍ରତ୍ୟେକକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଢ଼ ।

୨.

ହିପୋପୋଟାମସ୍‌’ର ରୂପ ଓ ଆକାର କିପରି କହ ।

୩.

କେଉଁ ପ୍ରମାଣ ବଳରେ ପଣ୍ଡିତମାନେ କହନ୍ତି ଯେ, ଇଟାଲୀ ଓ ଇଂଲଣ୍ଡ ପ୍ରଭୃତି ଦେଶରେ ‘ହିପୋପୋଟାମସ୍‌’ ବାସ କରୁଥିଲେ ?

୪.

‘ହିପୋପୋଟାମସ୍‌’କୁ କୁତ୍ସିତ ଜୀବ କୁହାଯାଇଛି କାହିଁକି?

 

କଙ୍ଗାରୁ ଓ ଜିରାଫ

 

୧.

‘କ’ ତାଲିକାର କେଉଁ ଶବ୍ବ ‘ଖ’ ତାଲିକାର କେଉଁ ଶବ୍ଦର ବିପରୀତ ଅର୍ଥ ପ୍ରକାଶ କରୁଛନ୍ତି?

 

(କ)

ଲମ୍ୱ, ମିଥ୍ୟା, ଊଣା, ସୁଖ, ଆନନ୍ଦ ।

 

(ଖ)

ଦୁଃଖ, ଓସାର, ସତ୍ୟ, ବିଷାଦ, ଅଧିକ ।

୨.

କଙ୍ଗାରୁ ବିଷୟରେ ଦଶଧାଡ଼ିରେ ଲେଖ ।

୩.

କଙ୍ଗାରୁକୁ ଦେଖିଲେ ତୁମେ ଆଶ୍ଚର୍ଯ୍ୟାନ୍ୱିତ ହେବ କାହିଁକି ?

୪.

‘ଜିରାଫ ହରିଣର ଅପର ସଂସ୍କରଣ’—ଏହି କଥାଟିକୁ ତୁମ ଭାଷାରେ ବୁଝାଇ କହ ।

୫.

ନିମ୍ନଲିଖିତ ବାକ୍ୟମାନଙ୍କରେ ଥିବା ଶୂନ୍ୟସ୍ଥାନଗୁଡ଼ିକ ବନ୍ଧନୀ ମଧ୍ୟରେ ଦିଆଯାଇଥିବା ଶବ୍ଦମାନଙ୍କ ଭିତରୁ ଉପଯୁକ୍ତ ଶବ୍ଦ ବାଛି ପୂରଣ କର—

 

(କ)

କଙ୍ଗାରୁର ଆଗଗୋଡ଼ ଦୁଇଟି— (ଲମ୍ୱ, ଉଚ୍ଚ, ଛୋଟ, ଶକ୍ତ)

 

(ଖ)

କେବଳ ଆଫ୍ରିକାର ଅରଣ୍ୟରେ ଜିରାଫମାନଙ୍କୁ ଦେଖିବାକୁ ମିଳେ । (କ୍ଷୁଦ୍ର, ଜୀବଶୂନ୍ୟ, ନିବିଡ଼) ।

 

(ଗ)

ଗୋଟିଏ ପୂର୍ଣ୍ଣବୟସ୍କ ଜିରାଫର ଉଚ୍ଚତା ପ୍ରାୟ—ଫୁଟ (୮, ୧୯, ୨୫, ୩୦) ।

 

ଗଣ୍ଡାର

 

୧.

ଗଣ୍ଡାର କେତେ ପ୍ରକାର ?

୨.

ଭାରତୀୟ ଗଣ୍ଡାରମାନଙ୍କର ପ୍ରକୃତି ସମ୍ବନ୍ଧରେ ଶିକାରୀମାନେ କି ମତ ଦିଅନ୍ତି ?

୩.

ଗଣ୍ଡାର ଓ କୁମ୍ଭୀର ମଧ୍ୟରେ କିପରି ଲଢ଼େଇ ଲାଗିଲା, ତାହାକୁ ନିଜ ଭାଷାରେ ଲେଖ ।

୪.

କୃଷ୍ଣ ଗଣ୍ଡାର—ଏହିପରି ଆଉ କି କି ଶବ୍ଦ ‘କୃଷ୍ଣ’ ଶବ୍ଦ ସଙ୍ଗେ ଲଗାଯାଇପାରେ ?

୫.

‘ଜଙ୍ଗଲ’ ଓ ‘ଶ୍ୱେତ’—ପ୍ରତ୍ୟେକ ଶବ୍ଦର ଦୁଇଗୋଟି ପ୍ରତିଶବ୍ଦ କହ ।

Image